କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ ଦ୍ୱାରା ତମାଖୁ ସେବନ ହଟାଇବା ୨୦ ପ୍ରତିଶତ ସଫଳ ହୋଇଥାଏ । କିନ୍ତୁ ତମାଖୁ ବର୍ଜନ ସଚେତନତା ଜରିଆରେ ୮୦ ପ୍ରତିଶତ ସଫଳତା ମିଳିଥାଏ । ତେଣୁ ସଚେତନତା ହିଁ ତମାଖୁ ବ୍ୟବହାରକୁ ଦୁରେଇବାରେ ଅମୋଘ ଅସ୍ତ୍ର । ପ୍ରତି ସେକେଣ୍ଡରେ ଜଣେ କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି । ତମାଖୁରେ ରହିଛି ୪ହଜାରରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ । ଏହାର ସେବନ ଦ୍ୱାରା ମୁହଁ, ଜିଭ, ଗାଲ, ସ୍ୱରଜନ୍ତ୍ର ଭଳି ଅଙ୍ଗ ଗୁଡିକ ନଷ୍ଟ ହୁଏ । ଜିଲ୍ଲା ମୁଖ୍ୟ ଚିକତ୍ିସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଆୟୋଜିତ ଏକ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଦିବସ ପାଳନ ଉପଲକ୍ଷେ ଏବର୍ଷର ବିଷୟ ବସ୍ତୁ ଥିଲା- “ଟୁ କ୍ରିଏଟ୍ ଆୱାରନେସ୍ ଆମଙ୍ଗ ଦ ପିପୁଲ ଇନ ଆୱାର ସୋସାଇଟି ଟୁ ଆଭଏଡ୍ ଟବାକୋ ଆଣ୍ଡ ଚୟସ୍ ଦ ଲାଇଫ୍” । ସଭାରେ ପୋଲିସ ବିଭାଗ କୋଟପ୍ପା ଆଇନକୁ କଡାକଡି ଲାଗୁ କରିବା କଥା, ସର୍ବ ସାଧାରଣ ସ୍ଥାନ ଓ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାନ, ଗୁଟୁଖା ତମାଖୁ ସେବନ ନିଷେଧ ପାଇଁ ବିଜ୍ଞପ୍ତି ତଥା ନିର୍ଦ୍ଧେଶନାମା ଜାରୀ କରିବା ବିଷୟରେ ଆଲୋଚନା କରାଯାଇଥିଲା । ନିଶା ସେବନ କଲେ ତାହାର ନିକୋଟିନ, ଟକ୍ସିନ ଫୁସଫୁସ ପ୍ରଭୃତିର କ୍ଷତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରିଣୀ ଆଲୋକପାତ କରିଥିଲେ । ତମାଖୁ ସେବନ କଲେ ମୁଖ ଗହ୍ୱର କର୍କଟ ପ୍ରଭୃତି ମାରାତ୍ମକ ରୋଗରେ ପିଡିତ ହୋଇ ତମାଖୁ ସେବନକାରୀର ମୃତୁ୍ୟ ଘଟିଥାଏ ବୋଲି ସେ କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣୀ ବେହେରା ଯୋଗଦେଇ ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ୍, ଡା. ପିକେ ଦାସ, ଡା. ପି.ଏମ୍. ଗୀତାଞ୍ଜଳୀ ଦାସ, ତୁଳସୀ ମହିଳା ମହାବିଦ୍ୟାଳୟର ଡିପିଓ ଡଃ. ପଦ୍ମଜା କବି ଶତପଥୀ, ସମସ୍ତ ନର୍ସଛାତ୍ରୀ, ଡାକ୍ତରଖାନାର କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ୯ଜଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସଦସ୍ୟ ତମାଖୁ ବର୍ଜନ କରିବା ପାଇଁ ସପଥ ପାଠ କରିଥିଲେ । ଶେଷରେ ଡି.ପି.ଏଚ୍.ସି.ଓ. ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର