Sunday , October 1 2023
Home / ବିଶେଷ / ହିତାଧିକାରୀଙ୍କୁ ପିଏମ୍ କେୟାର ସହାୟତା ରାଶି ବଣ୍ଟନ

ହିତାଧିକାରୀଙ୍କୁ ପିଏମ୍ କେୟାର ସହାୟତା ରାଶି ବଣ୍ଟନ

କଟକ, ୩୧/୦୫/୨୦୨୨( ଓଡ଼ିଶା ସମାଚାର )- କଟକ କଲେକ୍ଟୋରେଟସ୍ଥିତ ଏନଆଇସି ସମ୍ମିଳନୀ କକ୍ଷରେ ହିତାଧିକାରୀଙ୍କୁ ପିଏମ୍. କେୟାର ସହାୟତା ରାଶି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଜରିଆରେ ଜିଲ୍ଲାରେ କୋଭିଡ ମହାମାରୀରେ ଉଭୟ ପିତାମାତାଙ୍କୁ ହରାଇଥିବା ୪ ଜଣ ହିତାଧିକାରୀଙ୍କୁ ପି.ଏମ୍.କେୟାର ସହାୟତା ରାଶି ପ୍ରାପ୍ତ ବ୍ୟାଙ୍କ୍ ପାସବୁକ ଓ ଅନ୍ୟାନ୍ୟ ଉପକରଣ ବଣ୍ଟନ କରିଥିଲେ ।
ପ୍ରକାଶ ଥାଉକି, ମହାମାରୀ ସମୟରେ ଅନେକ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇ ଦିଗହରା ଭାବରେ କାଳାତିପାତ କରୁଥିଲେ। ଯେହେତୁ ଆଜିର ଶିଶୁ ଆସନ୍ତା କାଲିର ଜଣେ ଶ୍ରେଷ୍ଠ ନାଗରିକ ଭାବରେ ବିବେଚିତ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାପ-ମା’ ଛେଉଣ୍ଡ ପିଲାଙ୍କ ପାଇଁ ଶିଶୁମାନଙ୍କ ଉନ୍ନତିକଳ୍ପେ ବିଭିନ୍ନ ଯୋଜନାମାନ ପ୍ରଣୟନ କରି, ଏଭଳି ପିଲାମାନଙ୍କୁ ସାମାଜିକ ସ୍ତରରେ ସକ୍ଷମ ହେବାପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି। ପିଲାଙ୍କ ଶିକ୍ଷା, ରହଣି ଓ ଜୀବନଚର୍ୟ୍ୟା ନିମନ୍ତେ ଆବଶ୍ୟକ ହେଉଥିବା ଖାଦ୍ୟ, ପୋଷାକ ଓ ପାଠ୍ୟୋପକରଣ ରାଜ୍ୟ ସରକାର ସେମାନଙ୍କୁ ବିନାମୂଲ୍ୟରେ ଯୋଗାଇ ଆସୁଛନ୍ତି। ଏହାଫଳରେ ସାମଗ୍ରିକ ଭାବରେ ଓଡ଼ିଶାର ପ୍ରଗତି ସଂଗଠିତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ପ୍ରକାଶ କରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ମନ୍ଦାକିନୀ ଜେମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, କିଶୋର ନ୍ୟାୟ ପରିଷଦ ସଦସ୍ୟା ଅନୁସୟା ମହାନ୍ତି, ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ଏନଆଇସି ଇତିଶ୍ରୀ ନନ୍ଦଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ୟ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ୟ୍ୟାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *