ପାରାଦୀପ,୩୧/୦୫/୨୦୨୨( ଓଡ଼ିଶା ସମାଚାର )- ପାରାଦୀପର ଅନ୍ୟତମ ଟ୍ରକ୍ ମାଲିକ ସଂଘ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘର ନବ ନିର୍ମିତ କାର୍ଯ୍ୟାଳୟ ସୋମବାର ଦିନ ଉଦଘାଟିତ ହୋଇଯାଇଛି । କରମଳା ଆଶ୍ରମର ସାଧୁ ଶ୍ରୀ ଶ୍ରୀ ସଦାନନ୍ଦଜୀ ମହାରାଜ ଏହି ବହୁତଳ ବିଶିଷ୍ଟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ସଂଘର ସଭାଗୃହରେ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ତଥା ରାଜ୍ୟ ବିଜେଡି ସଂପାଦକ, ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଆଗାମୀ ଦିନରେ ଟ୍ରକ୍ ମାଲିକମାନେ ସମ୍ମୁଖୀନ ହେଉଥିବା ପ୍ରତିଟି ସମସ୍ୟା ପାଇଁ ସଂଘ ନିଷ୍ଠାପର ଭାବେ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ପାରାଦୀପରେ ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ସେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି କହିଥିଲେ । ଶାସକ ବିଜୁ ଜନତା ଦଳର ସମ୍ପାଦକ ଭାବେ ଅଂଚଳବାସୀଙ୍କ ଆବଶ୍ୟକତା ଥିବା ଏହି କାର୍ଯ୍ୟାଳୟ ସ୍ଥାପନ ପାଇଁ ସେ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ଏହି ନୂତନ କାର୍ଯ୍ୟାଳୟରେ କାର୍ଯ୍ୟକର୍ତା ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ, ଅତ୍ୟାଧୁନିକ ସଭାଗୃହ, ପ୍ୟାନଟ୍ରି ପ୍ରଭୃତି ରହିଛି । ଏହି ବୈଠକରେ ସାଧାରଣ ସମ୍ପାଦକ ରଂଜିତ କୁମାର ବେହେରା ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସଂଜୟ ରାଉତରାୟ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥିତ ସଭ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ସଂଘର ଏହି ନବ ନିର୍ମିତ କାର୍ଯ୍ୟାଳୟ ଉଦଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ଉପାଧ୍ୟକ୍ଷ ଗୋପକୃଷ୍ଣ ପରିଜା, ଉପସଭାପତି ରାମ କୃଷ୍ଣ ପରିଜାଙ୍କ ସମେତ ଏକଜୁ୍ୟକେଟିଭ୍ ସଦସ୍ୟମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର