କେନ୍ଦ୍ରାପଡ଼ା, ୩୧/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀରେ ପ୍ରବଳ ଦଳ ଭର୍ତି ହୋଇଯାଇଥିବାରୁ ଆଖପାଖ ଅଂଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋବରୀ ନଦୀରେ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ସେମାନଙ୍କ ଦୈନନ୍ଦିନର କାର୍ଯ୍ୟ ଗାଧୋଇବା, ଲୁଗା ସଫାକରିବା ପ୍ରଭୃତି କରିଥାନ୍ତି । ଏଥି ସହିତ ଗାଈ, ଗୋରୁ, ମଇଁଷି, ଛେଳି, ମେଣ୍ଡା ପ୍ରଭୃତି ପଶୁମାନେ ଏହି ନଦୀରୁ ପାଣି ପିଇଥାନ୍ତି । ନଦୀରେ ସଂପୂର୍ଣ୍ଣ ଦଳ ଭର୍ତି ହୋଇ ରହିଥିବାରୁ ସେହି ଦଳ ମଧ୍ୟରେ ବିଷାକ୍ତ ସାପ ରହିଥିବା ଭୟରେ ସ୍ଥାନୀୟ ଲୋକମାନେ ନଦୀରେ ପ୍ରବେଶ କରିପାରୁ ନାହାଁନ୍ତି । ଏଣୁ ଏଭଳି ପରିସ୍ଥିତିରେ ଗୋବରୀ ନଦୀରୁ ତୁରନ୍ତ ଏହି ଦଳ ଗୁଡିକୁ ସଫା କରିବା ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର