କେନ୍ଦ୍ରାପଡ଼ା, ୩୧/୦୫/୨୦୨୨( ଓଡ଼ିଶା ସମାଚାର )- କୁମ୍ଭୀର ସହ ଜଣେ ୧୩ ବର୍ଷର ନାବାଳକ ଲଢ଼େଇ କରି ନିଜ ଜୀବନ ବଞ୍ଚାଇପାରିଛନ୍ତି। ନଦୀର ଅଥଳ ପାଣି ଭିତରେ କୁମ୍ଭୀରକୁ ବିଧା, ଗୋଇଠା ମାରି ନିଜ ଜୀବନ ବଞ୍ଚାଇବା ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳକ ଜଣଙ୍କ ନଦୀରେ ଗାଧୋଇବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଅଥଳ ପାଣି ଭିତରେ କୁମ୍ଭୀର ସହ ସଂଘର୍ଷ କରି ନିଜ ଜୀବନକୁ ବଞ୍ଚାଇଛନ୍ତି ସମ୍ପୃକ୍ତ ନାବାଳକ। ଏଭଳି ଏକ ଘଟଣା ପଟ୍ଟାମୁଣ୍ଡାଇର ବଲୁରିଆ ପଞ୍ଚାୟତସ୍ଥ ଅରାଜି ଗ୍ରାମର ଓମ ପ୍ରକାଶ ସାହୁ (୧୩)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଓମ୍ ପ୍ରକାଶ କାଣି ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଜୀବନ ବଞ୍ଚାଇବାକୁ ସେ କୁମ୍ଭୀର ସହିତ ଲଢ଼େଇ କରିଥିଲେ। କୁମ୍ଭୀର ଆକ୍ରମଣରେ ସେ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି।
ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ୧ଟା ବେଳେ ପ୍ରାୟ ୧୦ ଫୁଟ ଲମ୍ୱର କୁମ୍ଭୀର ଓମ ପ୍ରକାଶ ସାହୁଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ନିକଟରେ ଗାଧୋଉଥିବା ଅନ୍ୟମାନେ କୁମ୍ଭୀର ଓମକୁ ଟାଣି ନେଉଥିବା ଦେଖି ଚିତ୍କାର କରିବା ସହ ପାଖରେ ଥିବା ଗାମୁଛା ପକାଇଥିଲେ। କିନ୍ତୁ ପାଣି ଭିତରେ ନାବାଳକ ଓମ୍ ଭୟ ନ କରି କୁମ୍ଭୀରକୁ ଗୋଇଠା ମାରିବା ସହ ପ୍ରାୟ ୩୦ମିନିଟ ଧରି ଲଢ଼େଇ କରିଥିଲେ। ଦୃଢ଼ ମୁକାବିଲା କରି ପ୍ରତି ଆକ୍ରମଣ କରିବା ଦ୍ୱାର କୁମ୍ଭୀର ଛାଡ଼ି ଚାଲିଯାଇଥିଲା। ନିକଟରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଓମ୍ ଙ୍କ ଦୁଇ ଗୋଡ଼ ଓ ଦୁଇ ହାତରେ କୁମ୍ଭୀର କାମୁଡ଼ାରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ବର୍ତମାନ ସେ କଟକ ବଡ଼ ମେଡିକାଲ ରେ ଚିକିତ୍ସାଧିନ ଅଛନ୍ତି । ନାବାଳକ ଓମ ପ୍ରକାଶଙ୍କର ଏଭଳି ସାହସିକତା ଏବେ ସମଗ୍ର ଜିଲାରେ ଆଲୋଚନା ହେଉଛି । ତାଙ୍କୁ ସାହସିକତା ପୁରସ୍କାର ମିଳିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଓଡ଼ିଶା ସମାଚାର