ମୁହଁରେ ଅସ୍ୱାଭାବିକ ଭାବେ ବଢ଼ିଛି ଟ୍ୟୁମର, ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ
କଟକ, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ଏସସିବି ମେଡିକାଲରେ ରବିବାର ଭର୍ତ୍ତି ହୋଇଛନ୍ତି ମୋତି ମାଝୀ। ତାଙ୍କ ମୁହଁରେ ଅସ୍ୱାଭାବିକ ଭାବେ ବଢ଼ିଥିବା ଟ୍ୟୁମର ଚିକିତ୍ସା କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ‘୫-ଟି’ ସଚିବ ଭି.କେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେମେ କାଜୁଆଲଟିରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ମୋତିଙ୍କୁ ଓରାଲ ମାକ୍ସିଲୋଫକ୍ସିଲୋ ଫେସିଆଲ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଡାକ୍ତର ପ୍ରଫେସର ଡ. ଇନ୍ଦୁଭୂଷଣ କରଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଆଲୋଚନା ହୋଇଛି। ମୋତିଙ୍କୁ ସୁସ୍ଥ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ ହେଉଛି। ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯିବ। ତଦନୁଯାୟୀ ଚିକିତ୍ସା ଆରମ୍ଭ ହେବ ବୋଲି ଡ. କର କହିଛନ୍ତି।
ସୂଚନାଥାଉକି, ମୋତିଙ୍କ ଘର ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଚଢ଼େଇମାରୁଗୁଡ଼ା ଗ୍ରାମରେ। ସ୍ୱାମୀ ତମୁ ମାଝୀ ଝାଡ଼ୁ ବେପାର କରନ୍ତିନ୍ତି। ଝାଡ଼ୁ ପ୍ରସ୍ତୁତ କରି ନିକଟ ବଜାରରେ ବିକ୍ରି କରନ୍ତି। ଯାହା ରୋଜଗାର ହୁଏ ସେଥିରେ ଚଳନ୍ତି। ୨ବର୍ଷ ପୂର୍ବେ ମୋତିଙ୍କ ମୁହଁରେ ଏକ ବ୍ରଣ ଭଳି କ୍ଷୁଦ୍ର ମାଂସ ପିଣ୍ଡୁଳାଟେ ହୋଇଥିଲା। କ୍ରମେ ଏହା ମୁହଁର ଅଧା ଅଂଶକୁ ମାଡ଼ି ଯାଇଥିଲା। ନାକ ଓ ପାଟି ବଙ୍କା ହୋଇଯିବା ସହ ଯନ୍ତ୍ରଣାରେ ସେ ଛଟପଟ ହୋଇଥିଲେ। ମୁହଁରେ ଏକ ଟ୍ୟୁ୍ୟୁମର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ମେଡିକାଲର ଡାକ୍ତର କହିଥିଲେ। ଅର୍ଥାଭାବରେ ଘାଣ୍ଟି ହେଉଥିବା ମୋତି ଅସ୍ତ୍ରୋପଚାର କରିବାକୁ ପଛଘୁଞ୍ଚା ଦେଇଥିଲେ। ଏ ସଂକ୍ରାନ୍ତରେ ଅଣାକର ସାହୁ ନାମକ ଜଣେ ଯୁବକ ଟୁଇଟ୍ କରିଥିଲେ। ସେ ଟୁଇଟ ଜରିଆରେ ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୋତିଙ୍କୁ ସରକାରୀ ସହାୟତାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ଅଣାକର ନିବେଦନ କରିଥିଲେ।
ମୋତିଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ‘୫-ଟି’ ସଚିବଙ୍କ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଆସିଥିଲା। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମୋତିଙ୍କ ପରୀକ୍ଷାନିରୀକ୍ଷା କରିଥିଲେ। ରବିବାର ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଛି। ସ୍ୱେଚ୍ଛାସେବୀ ସାର୍ଥକ ରାୟ ମୋତିଙ୍କୁ ଏସସିବି ମେଡିକାଲରେ ସମସ୍ତ ସାହାଯ୍ୟ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଫାଉଣ୍ଡେସନର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ମୋତିଙ୍କୁ ଭେଟିଛନ୍ତି। ଚିକିତ୍ସା ସମୟରେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ସମାଚାର
Home / ବିଶେଷ / ପାପଡ଼ାହାଣ୍ଡିରୁ ବଡ଼ ମେଡିକାଲକୁ ଆସିଲେ ମୋତି – ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ‘୫-ଟି’ ସଚିବଙ୍କ ନିର୍ଦ୍ଦେଶ