କଟକ, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- କଟକ ଜିଲ୍ଲା କୁସୁପୁର ଗାଁର ସୁନାଝିଅ । ଯାଜପୁର ଜିଲ୍ଲା ବ୍ରହ୍ମବରଦାର ବୋହୂ । ସୁଲତା ଦେଓ । ମିଳିଲା ତାଙ୍କୁ ରାଜ୍ୟସଭା ଟିକେଟ୍ । ଅପ୍ରତ୍ୟାଶିତ ନହେଲେ ବି ଏହା ତାଙ୍କ ପାଇଁ ବିଜେଡି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏକ ସ୍ମରଣୀୟ ଉପହାର । ଦୀର୍ଘ ୨୨ ବର୍ଷଧରି ସୁଲତା ଦଳରେ ଜଣେ ଶୃଖଂଳିତ ଏବଂ ଉତ୍ସର୍ଗୀକୃତ କର୍ମୀ ଭାବେ ରହିଛନ୍ତି । ଖାଲି ଶୃଖଂଳିତ ଏବଂ ଉତ୍ସର୍ଗୀକୃତ କର୍ମୀ ନୁହେଁ , ବରଂ ସେ ଜଣେ ସକ୍ରିୟ ବି୍ରଗେଡ଼ିଅର । ବିଜେଡ଼ି କୁ କେହି ଆକ୍ରମଣାତ୍ମକ ଶବ୍ଦ ପ୍ରୟୋଗ କଲେ ସେ ଖୁବ୍ ଶାଣିତ ଭାଷାରେ ତାହାକୁ ସାମ୍ନା କରିବା ଦେଖାଯାଏ । ସବୁବେଳେ ହସ ହସ ମୁହଁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁସୁପୁର ତାଙ୍କ ଜନ୍ମ ସ୍ଥାନ। ତାଙ୍କ ପିତା ହେଉଛନ୍ତି ସମାଜ ଖବର କାଗଜ ର ବରିଷ୍ଠ ସାମ୍ବାଦିକ ସୁମନ୍ତ କୁମାର ଜେନା ।
ସୁଲତାଙ୍କ ଶାଶୁଘର ଯାଜପୁର ଜିଲ୍ଲାର ବ୍ରହ୍ମବରଦାର ଏକ ରାଜନୈତିକ ପରିବାରରେ । ସେ ୨୦୦୨ରୁ ୨୦୦୭ ପର୍ୟ୍ୟନ୍ତ ବ୍ରହ୍ମବରଦା ପଂଚାୟତର ସରପଞ୍ଚ ଥିଲାବେଳେ ଦୁଇଥର ଶ୍ରେଷ୍ଠ ସରପଞ୍ଚ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତା ହୋଇଥିଲେ ।୨୦୦୭ରୁ ୨୦୦୯ ପର୍ୟ୍ୟନ୍ତ ସେ ଯାଜପୁରର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦର ସଦସ୍ୟା ମଧ୍ୟ ନିର୍ବାଚିତ ହୋଇଥିଲେ । ଜିଲ୍ଲା ପରିଷଦ ପଦବୀରୁ ଇସ୍ତଫା ଦେଇ ୨୦୦୯ ରେ ରାଜ୍ୟ ସମାଜ ମଂଗଳ ବୋର୍ଡର ଅଧ୍ୟକ୍ଷା ହୋଇଥିଲେ । ସେ ମଧ୍ୟ ଯାଜପୁର ମହିଳା ବିଜେଡିର ଜିଲ୍ଲା ସଭାପତି ଥିଲେ ।୨୦୦୬ ରୁ ୨୦୦୮ ପର୍ୟ୍ୟନ୍ତ ରାଜ୍ୟ ସମାଜ ମଂଗଳ ବୋର୍ଡର ଡାଇରେକ୍ଟର , ରାଜ୍ୟ ବିଜେଡିର ମୁଖପାତ୍ର ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଥିଲେ ।ଓଡ଼ିଶା ସମାଚାର