କଟକ, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ଗୌରୀଶଙ୍କର ପାର୍କ ସମ୍ମୁଖରେ ରବିବାର ସନ୍ଧ୍ୟାରେ ପୁଲିସ ବ୍ୟାଣ୍ଡ ପ୍ରଦର୍ଶିତ ହୋଇଥିଲା। କଟକ କମିଶନରେଟ ପୁଲିସ ପକ୍ଷରୁ ଏହା ଦ୍ୱିତୀୟ କାର୍ଯ୍ୟକ୍ରମ। ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ୨୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ସେରିମୋନିଆଲ ପୋଷାକ ପରିଧାନ କରି ବ୍ୟାଣ୍ଡ ବଜାଇଥିଲେ। ଡିସିପି ପିନାକ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟତଃ ପୁଲିସ ଓ ଜନସାଧାରଣ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଉକ୍ତ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ହୋଇଥିଲା। ଅତିରିକ୍ତ ଡିସିପି ପ୍ରମୋଦ ରଥ, ସେଖ ସରିଫୁଦ୍ଦିନ, ଅନୀଲ ମିଶ୍ର, ଏସିପି ତାପସ ପ୍ରଧାନଙ୍କ ସମେତ ସମସ୍ତ ଥାନାର ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ନେତାଜୀ ସେତୁ ନିକଟ ଗାନ୍ଧୀ ପାର୍କରେ ପୁଲିସ ବ୍ୟାଣ୍ଡ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ସମାଚାର