ଭୁବନେଶ୍ୱର, ୩୦/୦୫/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ସାଧାରଣ ବୈଠକ କୁରାଙ୍ଗସ୍ଥିତ ମୀରା କୋର୍ଟ ୟାର୍ଡର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ବନ୍ଦଲିଶ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କର ସାଧାରଣ ପରିଚାଳକ ସୁଭ୍ରୋମୟ ମୁଖାର୍ଜୀ ଓ ଷ୍ଟେଟ୍ ବ୍ୟାଙ୍କ ମହାସଂଘର ସର୍ବଭାରତୀୟ ସଭାପତି ଅରୁଣ କୁମାର ଭୋଗୋଲିୱାଲ ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାଙ୍କି ଶିଳ୍ପର ଭାରତୀୟ ଅର୍ଥନୀତିରେ ଭୂମିକା, ଆଗାମୀ ସମୟରେ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ଆହ୍ୱାନ ଓ କାର୍ଯ୍ୟରତ କର୍ମଚାରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ। ପ୍ରାୟ ୧୫ଶହରୁ ଊର୍ଦ୍ଧ୍ବ ସଭ୍ୟଙ୍କ ସହ ଅନ୍ୟ ସମସ୍ତ ରାଜ୍ୟର ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି, ସାଧାରଣ ସମ୍ପାଦକ, ଅବସରପ୍ରାପ୍ତ ନେତୃବୃନ୍ଦୃ ଏବଂ ବ୍ୟାଙ୍କର ଅଧିକାରୀମାନେ ଉକ୍ତ ମହାସଭାରେ ଯୋଗଦାନ କରିଥିଲେ। ଚେନ୍ନାଇ ମଣ୍ଡଳର ସଭାପତି ଜି. ଜାନାକିରମାନ, ଭୁବନେଶ୍ୱର ମଣ୍ଡଳର ଉପସଭାପତି ନିତ୍ୟାନନ୍ଦ ବେହେରା ଓ ଉମେଶଚନ୍ଦ୍ର ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ତପନ କୁମାର ପାଲ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ସମାଚାର
