ଜଗତସିଂହପୁର ୨୮/୦୫/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରୁ ଗତ ୧୮ ତାରିଖ ସକାଳେ ଜଣେ ଅଧ୍ୟାପକ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ହାତଗୋଡ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ୍ ଘଟଣାରେ ତିର୍ତ୍ତୋଲ ପୋଲିସକୁ ମିଳିଛି ବଡ ସଫଳତା। କୁଜଙ୍ଗ ଓ ପାରାଦୀପ ଲକ୍ ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କ ସହିତ ଭଦ୍ରକ ଅଞ୍ଚଳରୁ ସୁନାଗହଣା କିଣିଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍ ସୁନା ଗହଣା ଜବତ ହୋଇଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି। ଗିରଫ ୩ ଜଣ ଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଦୁଇ ଲୁଟେରା ମାମୁଁ ଭାଣିଜୀ ଓ ଅନ୍ୟଜଣେ ସୁନା କିଣିଥିବା ବ୍ୟକ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ପାରାଦୀପ ଲକ୍ ଥାନା ବଲିଢିଅ ଗାଁର ଆଲୋକ ପଟ୍ଟନାୟକ (୩୨), କୁଜଙ୍ଗ ଥାନା ପାଟପୁର ଗାଁର ରୋଜାଲିନ ସ୍ବାଇଁ (୨୮) ଏବଂ ଭଦ୍ରକ ହଳଦିଆ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ରାଜେନ୍ଦ୍ର ବେହେରା। ଏମାନଙ୍କ ଠାରୁ ୩୧.୬୫ ଗ୍ରାମର ସୁନା ଗହଣା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୪୭ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୪୫ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ବନ୍ଧୁକ ଜବତ କରିଛି । ଗତକାଲି ମୁଖ୍ୟ ଅଭିଯୁକ୍ତ ଆଲୋକ ମହାପାତ୍ରକୁ ପାରାଦୀପ ଲକ ଥାନା ବାଲିଢିଅ ଗାଁରୁ ତିର୍ତ୍ତୋଲ ଥାନାଧିକାରୀ ଯୁଗଳ କିଶୋର ଦାସଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗିରଫ କରିବା ପରେ ଭଦ୍ରକ ହଳଦିଆରୁ ସୁନା କିଣିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ରାଜେନ୍ଦ୍ର ବେହେରାଙ୍କୁ ଗିରଫ କରି ସୁନାଗହଣା ଜବତ କରିଥିଲେ। ପରେ ଆଜି ମଧ୍ୟାହ୍ଣରେ କୁଜଙ୍ଗ ଥାନା ପାଟପୁର ଗାଁରୁ ରୋଜାଲିନ ସ୍ବାଇଁଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କର ଡାକ୍ତରୀ ପରୀକ୍ଷା ପରେ ଅଦାଲତ ଚାଲାଣ କରାଯାଇଛି। ଘଟଣା ଭିଆଇଥିବା ଆଲୋକ ଓ ରୋଜାଲିନ ସମ୍ପର୍କରେ ମାମୁଁ ଭାଣିଜୀ ବୋଲି ଜଣା ପଡ଼ିଛି । ଓଡ଼ିଶା ସମାଚାର
