ଭୁବନେଶ୍ୱର , ୨୮/୦୫/୨୦୨୨( ଓଡ଼ିଶା ସମାଚାର )- ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ଲଗାଇବାକୁ ରାଜ୍ୟରେ ବାଧ୍ୟତା ମୂଳକ କରାଗଲା । ଏଣିକି ଆଉ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍ ବିନା କୌଣସି ଗାଡ଼ି ଚାଲିପାରିବ ନାହିଁ। ନୂଆ ହେଉ କି ପୁରୁଣା ସମସ୍ତ ଗାଡ଼ି ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ। ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ। ନୂଆ ନମ୍ବର ପ୍ଲେଟ୍ ବ୍ୟବହାରକୁ ରାଜ୍ୟ ପରିବହନ କର୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ କଡ଼ା ନିର୍ଦେଶ ରହିଛି। ତେବେ ଏହି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ ଆପ୍ ରଖାଯାଇଛି। ଏସ୍ଆଇଏଏମ୍ ପୋର୍ଟାଲ୍(ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚର୍ସ)ରେ ଅନଲାଇନ୍ ରେ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍ଏସ୍ଆର୍ପି ପ୍ଲେଟ୍ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ଏନ୍ଓସି(ନୋ ଅବ୍ଜେକ୍ସନ ସାର୍ଟିଫିର୍କେଟ୍) ଆଣିଥିବେ ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ।ଗାଡ଼ିର ଇନସ୍ୟୁରାନ୍ସ କିମ୍ବା ପେନାଲ୍ଟି ଦାଖଲ ହୋଇନଥିଲେ ମଧ୍ୟ ଏହା ହୋଇପାରିବ କିନ୍ତୁ ଗାଡ଼ିର ରେଜିଷ୍ଟ୍ରସନ୍ କାଗଜପତ୍ର ଥିବ ଓ ଟ୍ୟାକ୍ସ ଭରିଥିବା ଆବଶ୍ୟକ । ତେବେ ୨ ଚକିଆ ଯାନରେ ଆଗରେ ଓ ପଛରେ ଏହିପରି ୨ ଟି ନମ୍ବର ପ୍ଲେଟ ଲାଗିବ । ସେହିପରି ୪ ଚକିଆ ଯାନରେ ୩ ଟି ନମ୍ବର ପ୍ଲେଟ ଲାଗିବ । ଏଥିପାଇଁ ଭିନ୍ନ ଭିନ୍ନ ଏଜେନ୍ସି ଙ୍କର ଭିନ୍ନ ଭିନ୍ନ ଚାର୍ଜ । ସରକାର କୌଣସି ନିର୍ଦ୍ଧିଷ୍ଟ ଭାବେ ଏହି ନମ୍ବର ପ୍ଲେଟ ପାଇଁ କେତେ ଖର୍ଚ୍ଚ ହେବ , ସେ ବିଷୟରେ କିଛି କହିନାହାନ୍ତି । ଓଡ଼ିଶା ସମାଚାର