ସାଲେପୁର,୨୭/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ଏକ ବିଦ୍ୟାଳୟ ରହିଛି, ଯେଉଁ ବିଦ୍ୟାଳୟ ୭ବର୍ଷ ହେଲା ଏକ ମନ୍ଦିର ବେଢାରେ ଚାଲିଛି ଜ୍ଝ ଏହାପୁଣି ସାଲେପୁର ଶିକ୍ଷା ବିଭାଗ ର ଜ୍ଞାତସାର ରେ ଚାଲିଛି । ବିଦ୍ୟାଳୟ ର ଘଣ୍ଟା ବଦଳରେ ବାଜୁଛି ମନ୍ଦିର ର ଘଣ୍ଟ, ଘଣ୍ଟା, ପୂଜା ଓ ମନ୍ତ୍ର୍ର ପାଠ ଭିତରେ ଚାଲିଛି ପିଲାଙ୍କ ପାଠ ପଢ଼ା।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ତରିତୋ ପଂଚାୟତର ମୁର୍କୁଣ୍ଡି ଦାଶସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ବିଦ୍ୟାଳୟ ଟି ଚାଲିଛି ସ୍ଥାନୀୟ ବାଣେଶ୍ୱର ଶିବ ମନ୍ଦିର ରେ। ସବୁ ଦିନ ସକାଳ ଠାରୁ ୧୧ଟା ମଧ୍ୟରେ ମୁଖ୍ୟତଃ ପୂଜା ପାଠ ହୁଏ । ଏହା ମଧ୍ୟରେ ପ୍ରତ୍ୟହ ପାଠ ପଢା ଚାଲେ । ନିଜସ୍ଵ ସ୍କୁଲ ଘର ନଥିବାରୁ ଏହି ମନ୍ଦିର ବେଢ଼ାରେ ୨୦୧୫ ରୁ ୭ ବର୍ଷ ହେଲା ଚାଲିଛି ପାଠ ପଢ଼ା। ଏପରିକି ଏହି ମନ୍ଦିର ରେ ବଡ଼ ବଡ଼ ଯାନିଯାତ୍ରା ପର୍ବ ରେ ଏଠାରେ ସ୍କୁଲ ବନ୍ଦକରିବାକୁ ପଡେ । ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମାନେ ଶିକ୍ଷା ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏହି ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲା ଶିକ୍ଷା ମଣ୍ଡଳ ଅଧୀନ ରୁ ଆସି ଏବେ କଟକ ଜିଲ୍ଲା ସାଲେପୁର ଶିକ୍ଷା ମଣ୍ଡଳ ଅନ୍ତର୍ଭୁକ୍ତ ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ କ୍ଲାସ୍ ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ବୋଲି କୁହାଯାଉଛି ଓ ପାଠ ପଢାଉ ଛନ୍ତି ୨ଜଣ ଶିକ୍ଷକ। ଛାତ୍ରଛାତ୍ରୀ ମାନେ ଖୋଲାମେଲା ରେ ପାଠ ପଢୁଥିବା ବେଳେ କୈାଣସି ଦୈବୀ ଦୁର୍ବିପାକ ରେ ବିଦ୍ୟାଳୟ ଅନେକ ଦିନ ଧରି ବନ୍ଦ ରୁହେ ଏଠାରେ। ଖାଲି ସେତିକି ନୁହେଁ ଏଠାରେ ରୋଷେଇ ଘର ନଥିବାରୁ ଗାଁ ରୁ ରୋଷେଇ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନଆସିଥାଏ ଓ ଖୋଲା ମଇଦାନ ରେ ମଧ୍ୟାହ୍ନ ଭୋଜନ ଖାଇଲା ବେଳେ ବୁଲା କୁକୁର ମାଙ୍କଡ଼ ମାନେ ଛାତ୍ରଛାତ୍ରୀମାନଙ୍କ ଠାରୁ ଖାଦ୍ୟ ଛଡ଼ାଇ ଖାଇ ଦେଉଥିବା ଭଳି ଅଭାବନୀୟଘଟଣା ଅନେକ ବାର ଘଟିଥାଏ । ସରକାର ଙ୍କ ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏଠି ପୂରା ବାଟବଣା ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଠି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ ପଢ଼ିବାକୁ ଘର ଖଣ୍ଡିଏ ଯୋଗାଇ ଦେଇ ପାରୁନାହାଁନ୍ତି ସରକାର ଏବଂ ଦୀର୍ଘ ୭ ବର୍ଷ ହେଲା ମନ୍ଦିର ବେଢ଼ାରେ ଚାଲିଛି ପାଠ ପଢ଼ା, ତେବେ କିଭଳି ପଢିବେ ଆଉ ବଢିବେ ଛାତ୍ରଛାତ୍ରୀ ଏହା ନିଶ୍ଚୟ ଜନ ସାଧାରଣ ଙ୍କ ବିଚାର ସାପେକ୍ଷ । ଓଡ଼ିଶା ସମାଚାର