ମହାନଦୀ ବଂଚେଇବା ପାଇଁ ଦାବି ଜୋର୍ ଧରିଲା
ପାରାଦୀପ,୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଛତିଶଗଡର କଲମା ବ୍ୟାରେଜ୍ ନିର୍ମାଣ ପରେ ମହାନଦୀର ଓଡିଶା ପ୍ରାନ୍ତରରେ ଜଳାଭାବ ଦେଖା ଦେଲାଣି । କଲମା ବ୍ୟାରେଜ୍ ର ଅପରପାଶ୍ୱର୍ ସୁଖାସୋଡାରେ ମହାନଦୀର ନଦୀ ଶଯ୍ୟା ବିସ୍ତିର୍ଣ୍ଣ ଅଂଚଳ ମରୁଭୂମିର ଭ୍ରମ ସୃଷ୍ଟି କରିଛି । ଓଡିଶାବାସୀଙ୍କ ଜୀବନଧାରା ହେଉଛି ମହାନଦୀ । ମହାନଦୀର ପାଣି ପ୍ରତିଟି ଓଡିଆଙ୍କ ପାଇଁ ଜୀବନ ଯାପନରେ ବିନିଯୋଗ ହୋଇଥାଏ । ଛତିଶଗଡ ବ୍ୟାରେଜ୍ ନିର୍ମାଣ କରିବା ପରେ ଓଡିଶାକୁ ଆଉ ପାଣି ଛାଡୁ ନାହିଁ । ଓଡିଶାକୁ ଛତିଶଗଡ ନିରବଛିନ୍ନ ଭାବେ ମହାନଦୀରେ ଜଳପ୍ରବାହିତ କରାଇବା ଦାବିରେ ବୁଧବାର ଦିନ ମହାନଦୀ ଓ ବେଙ୍ଗାପସାଗରର ମିଳନସ୍ଥଳ ପାରାଦୀପ ନିକଟସ୍ଥ ଚଉମୁହାଣିଠାରେ ଓଡିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ମହାନଦୀ ଉଦ୍ଧାର ପାଇଁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ତଥା ମହାନଦୀ ବଂଚାଅ ଅଭିଯାନର ସଦସ୍ୟ ଶ୍ରୀବଲ୍ଲଭ କର ଯୋଗ ଦେଇ ମହାନଦୀକୁ ବଂଚେଇବା ପାଇଁ ସଂଗ୍ରାମ ଜାରୀ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ଯୁବ ଆଇନଜୀବୀ ଗତିକୃଷ୍ଣ ଶତପଥି, ପାରାଦୀପ ଯୁବକ ସଂଘର ସଭାପତି ଇଂ.ମନୋଜ କୁମାର ନାୟକ, ସାମ୍ବାଦିକ ଶରତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର
