Tuesday , March 28 2023
Breaking News
Home / ବିଶେଷ / ଅସୁରକ୍ଷିତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ମରାମତି ପାଇଁ ଦାବି 

ଅସୁରକ୍ଷିତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ମରାମତି ପାଇଁ ଦାବି 

ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ତହସିଲ ଅନ୍ତର୍ଗତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନଡିଆବରାଇ, ଓସ୍ତପୁର, ଡାହାଳପୁର, ଉଦୟଗିରି, ବେହୁଳ, ବାସୁଦେଇପୁର, ରାମଚନ୍ଦ୍ରପୁର, କଉଡିଆବରରାଇ, ତିକନପୁର, ମରିଲୋ, ମଣିନାଥପୁର, ଭଦକମଳ, ହରିପୁର, ପନ୍ଦିଆ, ପହଣା, ଅଟାବୁହା, ରସିଲାବାଦ ଆଦି ଗ୍ରାମକୁ ସେବା ଯୋଗାଇ ଆସୁଛି । ଏହି କାର୍ଯ୍ୟାଳୟରେ ଜଣେ ରାଜସ୍ୱ ନିରୀକ୍ଷକ ଓ ଜଣେ ପିଅନ ରହିଛନ୍ତି । ତେବେ ଏହି କାର୍ଯ୍ୟାଳୟଟି ଅସୁରକ୍ଷିତ ତଥା ବିପଦସଂକୁଳ ଅବସ୍ଥାରେ ସେବା ଯୋଗାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । କାର୍ଯ୍ୟାଳୟ କବାଟ ଓ ଝରକା ଉଇ ଖାଇ ମେଲା ହୋଇ ରହୁଥିବାବେଳେ ମରାମତି ଅଭାବରୁ ଛାତରୁ ଖଣ୍ଡ ଖଣ୍ଡ ହୋଇ ଢଳେଇ ଖସିପଡୁଥିବାରୁ ଛାତର ରଡ୍ ଗୁଡିକ ବାହାରକୁ ଦେଖାଯାଉଛି । ପାଇଖାନା ବ୍ୟବହାର ହେଉନଥିବାରୁ ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । କାର୍ଯ୍ୟାଳୟ କାନ୍ଥମାନଙ୍କରେ ଉଇ ହୁଙ୍କା ହୋଇ ପରିତ୍ୟକ୍ତ ଘର ଭଳି ମନେ ହେଉଥିଲେ ମଧ୍ୟ ଯେନ ତେନ ପ୍ରକାର ରେକର୍ଡ ରଖି ରାଜସ୍ୱ ନୀରିକ୍ଷକ ନିଜ କାର୍ଯ୍ୟାଳୟକୁ ଚଲାଇଛନ୍ତି । କାର୍ଯ୍ୟାଳୟଟି ଗ୍ରାମ ବାହାରେ ଏକ ନିଛାଟିଆ ସ୍ଥାନରେ ହୋଇଥିବାବେଳେ  ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଯାଇଛି । ଏପରିକି କାର୍ଯ୍ୟାଳୟଟି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଏହା ଅଧିନରେ ଥିବା ଲୋକମାନେ ତାଙ୍କର କାର୍ଯ୍ୟ କରିବାକୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଏହି କାର୍ଯ୍ୟାଳୟକୁ ମରାମତି କରାଯିବା ସହିତ ଏକ ନୂତନ ଗୃହ ନିର୍ମାଣ କରିବାକୁ ଶ୍ରୀକାନ୍ତ ପରିଜା, ବିଶ୍ୱଜିତ୍ ସ୍ୱାଇଁ, ଖଗେଶ୍ୱର ଭୂୟାଁ, ସନ୍ତୋଷ ଲେଙ୍କା, ସୁବାସ ମଳିକ, ଅଶ୍ୱିନୀ ପରିଜା, ବିରଜା ପ୍ରସାଦ ଦାସ, ପ୍ରଭୁବନ ସ୍ୱାଇଁ, ଭରତ ଚନ୍ଦ୍ର ପ୍ରଧାନଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.