Monday , September 25 2023
Breaking News
Home / ବିଶେଷ / ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧୋତ୍ସବ ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ପୁରୁଣାବସ୍ଷ୍ଟାଣ୍ଡ ନିକଟସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଭାଜପା ନେତା ଭୃଗୁ ବକ୍ସିପାତ୍ର, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ସଭାପତି ଡ. ରାଧାନାଥ ପ୍ରହରାଜ, ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂହ, ଉତ୍କଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଦିଲ୍ଲୀପ ଦାସଶର୍ମା, ଶୀତଳ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ସାମଲ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଏନ୍. ବେଣୁଗୋପାଳ ଚୌଧୁରୀ, ଡା. ପ୍ରଦୀପ କୁମାର ପାଢୀ, କଳ୍ପତରୁ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ସହିତ ସମନ୍ୱୟ କରି ଖଣ୍ଡ ବିଖଣ୍ଡିତ ଓଡ଼ିଶା ଭାଷାଭାଷି ଅଂଚଳକୁ ଏକତି୍ରକରଣ କରି ସ୍ୱତନ୍ତ୍ର ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜା ନିରନ୍ତର ଉଦ୍ୟମ କରିବା ସହ ଲଣ୍ଡନ ଯାଇ ଗୋଲ୍ ଟେବୁଲ୍ ବୈଠକରେ ଯୋଗଦାନ କରିଥିଲେ ।ଏପରିକି ନିଜ ମାଆଙ୍କ ଗହଣାକୁ ମଧ୍ୟ ବିକ୍ରୟ କରିଦେଇଥିଲେ । ଜଣେ ସୁଶାସକ ଭାବରେ ପାରଳାଖେମୁଣ୍ଡିରେ ରେଳ ଚଳାଚଳ ସହିତ ଜଳସେଚନ ବ୍ୟବସ୍ଥା ଓ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବା ସହ ବାଳିକା ଶିକ୍ଷା, ଉଚ୍ଚଶିକ୍ଷା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଉତ୍କଳ ସମ୍ମିଳନୀର ସଭାପତି ଭାବରେ ତାଙ୍କ ଉଦ୍ୟମ ଯୋଗୁଁ ଦକ୍ଷିଣାଂଚଳରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳ ଓଡ଼ିଶା ପ୍ରଦେଶରେ ସାମିଲ୍ ହେବାରେ ସକ୍ଷମ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।
ଏହାପରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଗଜପତିଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଭାରପ୍ରାପ୍ତ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ଏନ୍. ବେଣୁଗୋପାଳ ଚୌଧୁରୀ, ମନୀନ୍ଦ୍ର ନାୟକ, ଶ୍ରୀନିବାସ ପଣ୍ଡା, ଯୁଗଳ କିଶୋର ଦାସ, ଡକ୍ଟର ପ୍ରଦୀପ କୁମାର ପାଢୀ, କବୟତ୍ରୀ ତିଳୋତମା ଚମ୍ପତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରିକ ଓ କର୍ମଚାରୀମାନେ ପରିଚାଳନା କରିଥିଲେ । ଉପେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏନ୍. ବେଣୁଗୋପାଳ ଚୌଧୁରୀଙ୍କୁ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *