Monday , September 25 2023
Breaking News
Home / ବିଶେଷ / ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆଜି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଏବଂ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମହାହିସାବରକ୍ଷକଙ୍କ କାର୍ଯ୍ୟାଳୟ (ଏ.ଜି. ଛକ) ସମ୍ମୁଖରେ ଥିବା ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାରାଜାଙ୍କ ସ୍ମୃତିଚାରଣ କରି ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମିଳନୀ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ବିଭାଗୀୟ ଉପ-ନିର୍ଦ୍ଧେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ୍ ପ୍ରଫେସର ରମେଶ ଚନ୍ଦ୍ର ପାତାଳ ସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ପ୍ରମୁଖ, ଓଡ଼ିଶା ରାଜ୍ୟ ଗଠନ ସପକ୍ଷରେ ମହାରାଜାଙ୍କ ସାଇମନ କମିଶନଙ୍କୁ ସାକ୍ଷ୍ୟପ୍ରଦାନ, ମେଜର ଅଟଲିଙ୍କ ସମ୍ମୁଖରେ ଯୁକ୍ତି, ଓଡ଼ନେଲ୍ କମିଟିର ସମ୍ମୁଖୀନ, ବିଶେଷ କରି ଗୋଲ ଟେବୁଲ ବୈଠକରେ ଇଂଲଣ୍ଡଠାରେ ଦୁଇଥର ଯୋଗାଦାନ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଫଳରେ ଆଜିର ଓଡ଼ିଶା ସମ୍ଭବ ହୋଇପାରିଛି ବୋଲି କହିଥିଲେ । ପୁନଶ୍ଚ ବକ୍ତାମାନେ ତାଙ୍କର ମତ ରଖି କହିଥିଲେ ଯେ ସେ, କୃଷି ପାଇଁ ଜଳସେଚନ ବ୍ୟବସ୍ଥାର ପରିକଳ୍ପନା କରି ରାମ ସାଗର, ସୀତା ସାଗର ପ୍ରଭୃତି ଖୋଳାଇବା, ନାରୀ ଶିକ୍ଷା ପାଇଁ ବିଦ୍ୟାଳୟ, ଶିଳ୍ପ, କଳାର ସମୃଦ୍ଧି ଓ ସୁରକ୍ଷା ଦିଗରେ ଅଗ୍ରଦୂତ ସାଜି ଯାହାସବୁ କରିଯାଇଛନ୍ତି ତାହା ଏବେ ମଧ୍ୟ ପ୍ରାସଙ୍ଗିକ ଏବଂ ଗ୍ରହଣଯୋଗ୍ୟ ଅଟେ । ତେଣୁ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଏହି ବିଶିଷ୍ଟ ବରପୁତ୍ରଙ୍କ ସ୍ମୃତି ରକ୍ଷା ପାଇଁ ପାରଳା ରାଜପ୍ରସାଦର ପୁନରୁଦ୍ଧାର ଏବଂ ତାଙ୍କ ଉପରେ ଗବେଷଣା ଉଦ୍ଧେଶ୍ୟରେ ଏକ ସଂଗ୍ରହାଳୟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଏକ ସର୍ବ ସମ୍ମତ ପ୍ରସ୍ତାବ ଆସିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଇଂ. ସତ୍ୟଜିତ୍ ନାୟକ, ପ୍ରଫେସର ଡ଼ା. କାଶୀନାଥ ରଥ, ଗିରିଜା ଶଙ୍କର ମହାପାତ୍ର, ଯୁଗଳ କିଶୋର ନାୟକ, ଇଂ. ନିଖିଳ ପ୍ରସାଦ ଦାଶ, ବୈରାଗୀ ସେଠୀ ପ୍ରମୁଖ ଏବଂ ବହୁ ସଂଖ୍ୟାରେ ଯୁବକମାନେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *