ଭୁବନ ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଅବତାର ପୁରୁଷ ଭଗବାନ ସତ୍ୟସାଇ ବାବା ଙ୍କ ର ପରମ ଭକ୍ତ ତଥା ଆଦର୍ଶ ଶିକ୍ଷକ ପଦ୍ମନାଭ ପୃଷ୍ଟି (ପଦନ ସାର୍) ଙ୍କର ଆଜି ମଧ୍ୟାହ୍ନ ୧୧.୪୫ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ବିଧବା ପତ୍ନୀ ଙ୍କ ସମେତ ପୁଅ, ବୋହୁ, ଝିଅ,ଜ୍ୱାଇଁ, ନାତି,ନାତୁଣି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ପଦନ ସାର ଙ୍କ ପରଲୋକ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ୧ ନମ୍ବର ୱାର୍ଡ ତହସିଲ କଲୋନୀ ସ୍ଥିତ ବାସ ଭବନରେ ପହଁଚି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ସହର ପରିକ୍ରମା କରାଯାଇ ରଗଡି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା ।ବଡପୁଅ ହିମାଂଶୁ ଭୂଷଣ ପୃଷ୍ଟି ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଦନ ସାର୍ ଙ୍କ ପ୍ରଚେଷ୍ଟାରେ ଭୁବନରେ ସତ୍ୟସାଇ ସେବା ସମିତି ଗଠନ ହେବା ସହ ସାଇ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସେ ଏକାଧାରରେ ଜଣେ ବିଶିଷ୍ଟ ସାଇଭକ୍ତ ,ଆଦର୍ଶ ଶିକ୍ଷକ, ସ୍ନେହୀ, ଦୟାଳୁ, ପରୋପକାରୀ. ଧର୍ମପରାୟଣ ବ୍ୟକ୍ତି ହେବା ସହ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର