Wednesday , July 6 2022
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା ମେଡ଼ିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ? 

ପାଟକୁରା ମେଡ଼ିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ? 

ଗୃହ ସଙ୍କଟ, ଡ଼ାକ୍ତର ଅଭାବ ଓ ଜଳ ନିଷ୍କାସନ ମୁଖ୍ୟ ସମସ୍ୟା

ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗରଦପୁର ବ୍ଲକ୍ ସମେତ ମାର୍ଶାଘାଇ, କୁଜଙ୍ଗ, ମହାକାଳପଡ଼ା ଓ ତିର୍ତୋଲ ଅଂଚଳର ୨ ଲକ୍ଷ ରୁ ଉଦ୍ଧ୍ୱର୍ ଜନ ସାଧାରଣ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ ଅଟନ୍ତି । ଦୀର୍ଘ ବର୍ଷ ଧରି ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଶୃଙ୍ଖଳିତ ଓ ଉର୍ତ୍ସର୍ଗୀକୃତ ସେବା ପାଇଁ ପାଟକୁରା ମେଡ଼ିକାଲ ଜନସାଧାରଣଙ୍କର ଭରସା ଓ ବିଶ୍ୱାସଯୋଗ୍ୟ ହୋଇ ପାରିଛି । ପ୍ରତ୍ୟେକ ଦିନ ୨୦୦ ରୁ ଉଦ୍ଧ୍ୱର୍ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ଏଠି ପହଂଚୁଥିବା  ଯାହା ମେଡ଼ିକାଲ ର ରୋଗୀ ପଂଜିକରଣ ରେକର୍ଡ଼ କହୁଛି , ତାହା ମେଡ଼ିକାଲ ସମ୍ପର୍କରେ ଲୋକଙ୍କର ଭରଷା ଥିବା କଥାକୁ ସ୍ପଷ୍ଟ ପ୍ରମାଣ କରେ । କିନ୍ତୁ ଲୋକଙ୍କୁ ସେବା ଯୋଗାଇ ଦେଇ ଚାଲିଥିବା ସତ୍ୱେ ମଧ୍ୟ ବହୁବିଧ ସମସ୍ୟା ମେଡ଼ିକାଲ ର ସ୍ୱାସ୍ଥ୍ୟ ସେବାକୁ ସର୍ବଦା ଆହ୍ୱାନପୂର୍ଣ୍ଣ କରି ରଖିଛି । ମେଡ଼ିକାଲ ପାଇଁ ପ୍ରଥମତଃ ଗୃହ ସଙ୍କଟ ଏକ ବଡ଼ ସମସ୍ୟା ହୋଇ ଦୀର୍ଘ ବର୍ଷ ହେଲା ଲାଗି ରହିଛି । ମେଡ଼ିକାଲ ରେ ଥିବା ଜରାଜୀର୍ଣ୍ଣ ଆଜବେଷ୍ଟସ ଡ଼ାଇରିଆ ୱାର୍ଡ଼ କୁ ଭଙ୍ଗାଯାଇ ସେଠାରେ ଏକ ଏଲ ଟାଇପ୍ ଚାରି ମହଲା ବିଶିଷ୍ଟ ମେଡ଼ିକାଲ ଗୃହ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ୪ କୋଟି ଟଙ୍କାର ଏହି ପ୍ରକଳ୍ପ ଏନଆରଏଚଏମ ଯୋଜନାରେ ହେବା ପାଇଁ ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା ବିଭାଗୀୟ ମଂଜୁରୀ ଅପେକ୍ଷାରେ ଫାଇଲ ପଡ଼ି ରହିଛି । ରୋଗୀ କଲ୍ୟାଣ ସମିତି ବୈଠକ ରେ ଏକଥା ବାରମ୍ବାର ଆଲୋଚନା କରାଯାଇ ନେତା , ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ସେହିପରି ପାଟକୁରା ମେଡ଼ିକାଲ ରେ ୧୨ ଟି ଡ଼ାକ୍ତର ପଦବୀ ଥିବାବେଳେ ସେଥିରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଡ଼କ୍ଟର ନୀରଂଜନ କର , ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ, ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଶାନ୍ତ କୁମାର ଜେନା ଙ୍କ ସମେତ ଡ଼େଂଟିଷ୍ଟ ଡ଼ାକ୍ତର ନିବେଦିତା ବିଣ୍ଡା, ଡ଼ାକ୍ତର ରାକେଶ କୁମାର ମହାନ୍ତି ଓ ଆୟୁଷ ଡ଼ାକ୍ତର ସସ୍ମିତା ମହାପାତ୍ର ଏବେ କାର୍ଯ୍ୟରତ ଅଛନ୍ତି । ଅପର ପକ୍ଷରେ ମେଡ଼ିସିନ୍ , ସର୍ଜରୀ ବିଭାଗ ସହିତ ଏମବିବିଏସ ୪ ଟି ପଦବୀ ଏହିପରି ମୋଟ ୬ ଟି ପଦବୀରେ କେହି ଡ଼ାକ୍ତର ନାହାନ୍ତି । ଜନସାଧାରଣଙ୍କୁ ମୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବାଧା ସୃଷ୍ଟି ହେଉଛି । ଏଥି ସହିତ ବର୍ଷା ଜଳ ନିଷ୍କାସନ ମେଡ଼ିକାଲ କ୍ୟାମ୍ପସର ଏକ ସମସ୍ୟା ହୋଇ ରହି ଆସିଛି । ଗତ ୭ ବର୍ଷ ଧରି କ୍ୟାମ୍ପସରୁ ଉଦବୃତ ବର୍ଷା ଜଳ ନିଷ୍କାସନ କରିବା ପାଇଁ ଯେତେ ଯାହା ସବୁ ପଦକ୍ଷେପ ନିଆଯାଇଛି, ତାହା ସଫଳ ହୋଇ ପାରିନାହିଁ । ମେଡ଼ିକାଲ କ୍ୟାମ୍ପସ ଭିତରେ ଗତ ୩/୪ ବର୍ଷ ତଳେ ନିର୍ମାଣ ହୋଇଥିବା ଡ଼କ୍ଟର କ୍ୱାର୍ଟର ଗୁଡ଼ିକ ର କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ତାହା ମଧ୍ୟ ମରାମତି ଖୋଜିଲାଣି । ଅଧିକନ୍ତୁ ମେଡ଼ିକାଲ ର ସ୍ୱାସ୍ଥ୍ୟ ସେବାକୁ ସୁଗମ କରିବା ପାଇଁ ମେଡ଼ିକାଲ ରେ ନୀରବଚିନ୍ନ ବିଦ୍ୟୁତ ଯୋଗାଣ ଆଜି ସୁଦ୍ଧା ଠିକ ହୋଇ ପାରୁନାହିଁ । ବିଜୁଳି କାଟ ସମୟରେ ଫ୍ରିଜ ରେ ଥିବା ଟୀକା ଓ ଜୀବନ ରକ୍ଷାକରୀ ଔଷଧ ସମେତ ୱାର୍ଡ଼ ଓ ପ୍ରସୁତି ବିଭାଗରେ ନାନା ଦି ଅସୁବିଧା ସୃଷ୍ଟି ହେଉଛି । ଯଦିଓ ଇନଭର୍ଟର ଲାଗିଛି , ତାହା ମଧ୍ୟ ପର୍ଯ୍ୟାପ୍ତ ହେଉନାହିଁ । ବିଧାୟକ ପାଂଠି ରୁ ଡ଼ିଜି ଯୋଗାଇ ଦିଆଯାଇ ବିଦ୍ୟୁତ ସଙ୍କଟ ଦୂର କରିବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ବାରମ୍ବାର ବିଧାୟକଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏସବୁ ସମସ୍ୟା ପ୍ରତି ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଲକ୍ଷାଧିକ ଗ୍ରାମାଂଚଳ ଲୋକଙ୍କର ଭରଷା ଯୁଟୁଥିବା ଏହି ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ ସଫଳ ଭାବରେ ସ୍ୱାସ୍ଥ୍ୟ ସେବା ସାଧାରଣରେ ପହଂଚାଇ ପାରନ୍ତା । ତେବେ ଏସବୁ ସମସ୍ୟାକୁ କେବେ ଦୂର କରାଯାଉଛି , ତାହା ଦେଖିବାକୁ ବାକି ରହିଲା ।  ଓଡ଼ିଶା ସମାଚାର

About admin

Check Also

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି , ୪୯ ଜଣ ଶିଶୁ ଙ୍କ ସମେତ ୩୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୦୩/୦୭/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଛି । ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୪୦୦ …

Leave a Reply

Your email address will not be published. Required fields are marked *