ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ ତଥା ପୂର୍ବତନ ଲୋକସଭା ସଦସ୍ୟ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛିା ଆଜି ଅପରାହ୍ନ ୨.୧୦ମି. ସମୟରେ ଭୂବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।
ସାଥି ଶିବାଜୀ ପଟ୍ଟନାୟକ ୧୯୪୭ ମସିହାରେ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିରେ ସଭ୍ୟପଦ ଲାଭ କରିଥିଲେ । ୧୯୬୪ ମସିହାରେ ଓଡିଶାରେ ସି.ପି.ଆଇ.(ଏମ୍)ର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା । ଛାତ୍ରାବସ୍ଥାରୁ ଛାତ୍ର ସଂଘ ସହ ଜଡିତ ହୋଇ ୧୯୫୦ଦଶକରେ ଛାତ୍ର ସଂଘର ତୁଙ୍ଗନେତା ରୂପେ ପରିଚୟ ହୋଇଥିଲେ । ୧୯୫୦ ଦଶକର ଶେଷ ଭାଗରେ ସେ ଥିଲେ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟି ପୁରୀ ଜିଲ୍ଲା କମିଟିର ସମ୍ପାଦକ, ୧୯୭୨ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସେ ଥିଲେ ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟିର ସମ୍ପାଦକ । ୧୯୭୮ ମସିହା ସିପିଆଇ(ଏମ୍) ୧୦ମ କଂଗ୍ରେସରେ ସାଥି ଶିବାଜୀ ପଟ୍ଟନାୟକ କେନ୍ଦ୍ର କମିଟିକୁ ନିର୍ବାଚିତ ହୋଇ ୧୯୮୯ ମିସହା ପର୍ଯ୍ୟନ୍ତ ସେହି ପଦରେ ରହିଥିଲେ । ୧୯୭୭, ୧୯୮୯ ଓ ୧୯୯୧ରେ ତିନିଥର ସେ ଥିଲେ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ।
ଦୀର୍ଘ ୭ ଦଶନ୍ଧିରୁ ଉର୍ଦ୍ଧକାଳ ଧରି ରାଜନୈତିକ ସ୍ତରରେ ଶିବାଜୀବାବୁଙ୍କ ନେତୃତ୍ୱ ଆଛାଦିତ ହୋଇ ଆସିଛି । ଆଜୀବନ ନିରଳସ, ସ୍ୱଚ୍ଛ, ସଚ୍ଚୋଟ ରାଜନେତା ଭାବେ ଓଡିଶାରେ ସେ ଥିଲେ ଜଣେ ପରିଚିତ ନେତା ଓ ମେହନତି ମଣିଷର ସ୍ୱାର୍ଥ ରକ୍ଷା ସଂଗ୍ରାମରେ ଜଣେ ସାଲିସ ବିହୀନ ସୈନିକ ।
ସାଥି ଶିବାଜୀ ପଟ୍ଟନାୟକଙ୍କ ମୃତ୍ୟୁରେ ଓଡିଶାରେ ଏକ ଯୁଗର ଅବସାନ ଘଟିଲା । ମେହନତି ମଣିଷ ତା’ର ଜଣେ ଆପଣାର ଯୋଦ୍ଧାଙ୍କୁ ହରାଇଲା । ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର