ଯୋଡ଼ା,୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଯୋଡ଼ାରେ ଫୁଟିଲା ଗୁଳି । ଯୋଡ଼ା କଲ୍ୟାଣ ମଣ୍ଡପ ନିକଟରେ ଗୋଏଲ ଟ୍ରେଡର୍ସ (ହୋଲସେଲ୍ ଦୋକାନ) ର କର୍ମଚାରୀ ରାଜେଶ ମହାକୁଡ ଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଆହତ ରାଜେଶ ମହାକୁଡ ଙ୍କୁ ଚିକିତ୍ସା ପାଇଁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ରବିବାର ରାତିରେ ଗୋଏଲ ଟ୍ରେଡର୍ସ ବନ୍ଦ ହେବା ପରେ ଦୋକାନର ମାଲିକ ରମେଶ ଅଗ୍ରୱାଲ ଖାତାପତ୍ର ଥିବା ଏକ ବ୍ୟାଗ ରାଜେଶ ହାତରେ ଦେଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ତାଙ୍କ ଘରକୁ ପଠାଇଥିଲେ । ଏହି ବ୍ୟାଗ ରେ ଟଙ୍କା ଥିବା ଭାବି ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ରାଜେଶଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚଳାଇ ତାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ । ଗୋଟିଏ ଗୁଳି ରାଜେଶ ଙ୍କ ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା । ଗୁଳି ମାଡ଼ରେ ଆହତ ହୋଇ ରାଜେଶ ସେଠାରେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ଟଙ୍କାବ୍ୟାଗ ଭାବି ଏହି ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଶନିବାର ଜଣେ ପରିବହନ ସଂସ୍ଥାର କର୍ମଚାରୀଙ୍କ ଠାରୁ ୫ଲକ୍ଷ ଲୁଟ୍ ହୋଇଥିଲା । ଓଡ଼ିଶା ସମାଚାର