Friday , September 22 2023
Breaking News
Home / ବିଶେଷ / ସରକାରୀ ଜାଗା ଜବରଦଖଲ – ତହସିଲଦାରଙ୍କ ଅଭିଯୋଗ ପରେବି ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ

ସରକାରୀ ଜାଗା ଜବରଦଖଲ – ତହସିଲଦାରଙ୍କ ଅଭିଯୋଗ ପରେବି ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ

କେନ୍ଦ୍ରାପଡ଼ା, ୨୧/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ ସାନବଡ ଗୋପାଳପୁର ଗ୍ରାମରେ ଜଣେ ସରକାରୀ କର୍ମଚାରୀ ସରକାରୀ ଜାଗାକୁ ଜବରଦଖଲ କରି ଇଟା, ପାଚେରୀ ଆଦି ନିର୍ମାଣ କରୁଥିବାର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରାଜନଗର ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ସରକାରୀ କର୍ମଚାରୀ ନଳିନୀକାନ୍ତ ରାଉତରାୟ ଗର୍ଜନପୁର ଗାଁରେ ଥିବା ପ୍ଲଟ୍ ନଂ-୪୩୮ ଏରିଆ ୪ ଡିସିମିଲ୍ ସରକାରୀ ଜମିକୁ ଜୋର ଜବରଦସ୍ତ ଦଖଲ କରି ଏକ ଇଟା ପାଚେରୀ ନିର୍ମାଣ କରିଛନ୍ତି । ସେହି ପ୍ଲଟ ଉପରେ ସେହି ଗ୍ରାମର ଭୂମିହୀନ ରତିକାନ୍ତ ମହାନ୍ତିଙ୍କ ପତ୍ନୀ ସୁଲୋଚନା ମହାନ୍ତି ଏକ ଅସ୍ଥାୟୀ ଘର କରି ରହୁଥିଲେ । ନଳିନୀକାନ୍ତ ସେହି ଘରକୁ ଜେ.ସି.ବି ଲଗାଇ ଭାଙ୍ଗିଦେଇ ସେହି ଜମିକୁ ନିଜ ଅଧିନକୁ ନେଇଥିଲେ । ଏହି ଘଟଣାକୁ ନେଇ ସୁଲୋଚନା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହିତ ସ୍ଥାନୀୟ କୋର୍ଟରେ ୨୦୨୧ ମସିହା ଅକ୍ଟୋବର ମାସ ୨୧ ତାରିଖରେ ଏକ ମାମଲା ରୁଜୁ କରିଥିଲେ । ସେହି ବିବାଦୀୟ ଜମି ଉପରେ କୋର୍ଟ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା  । ଏହାପରେ ନଳିନୀକାନ୍ତ ଉକ୍ତ ଜାଗା ଉପରେ୧୪୪ ଧାରାକୁ ଅମାନ୍ୟ କରି ଇଟା ପାଚେରୀ ନିର୍ମାଣ କରୁଛନ୍ତି । ଏ ସମ୍ପର୍କରେ ସୁଲୋଚନା ରାଜନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବାରୁ ତହସିଲଦାର ସ୍ଥାନୀୟ ଆର.ଆଇ.ଙ୍କ ଦ୍ୱାରା ତଦନ୍ତ କରାଇ ସରକାରୀ ଜମି ଉପରେ ପାଚେରୀ ନିର୍ମାଣ କରାଯାଇଥିବାର ଜାଣି ରାଜନଗର ଥାନାରେ ନଳିନୀକାନ୍ତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତହସିଲଦାରଙ୍କ ଅଭିଯୋଗକୁ ଭିତି କରି ରାଜନଗର ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲେ । ଘଟଣାଟି ଚଳିତ ମାସ ୫ ତାରିଖରେ ଘଟିଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ କର୍ମଚାରୀଙ୍କୁ ପୋଲିସ ଗିରଫ କରୁନଥିବା ଅଭିଯୋଗ ହୋଇଛି । ଶ୍ରୀ ରାଉତରାୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଆଇନକୁ ନିଜ ହାତକୁ ନେଇ ଜଣେ ଭୂମିହୀନ ମହିଳାଙ୍କୁ ସରକାରୀ ଜମିରୁ ହଟାଇ ସେହି ସରକାରୀ ଜମିକୁ ଜବରଦଖଲରେ ରଖିଛନ୍ତି । ଏପରିକି ଉପ-ଜିଲ୍ଲାପାଳ ଏହି ସରକାରୀ ଜମି ଉପରେ ବେଆଇନ ନିର୍ମାଣକୁ ଭାଙ୍ଗି ଦେବା ପାଇଁ ରାଜନଗର ତହସିଲଦାର ଏବଂ ଥାନାକୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏସମ୍ପର୍କରେ ପିଡିତା ମହିଳା ଜଣକ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *