Sunday , October 1 2023
Home / ରାଜନୀତି / ରନ୍ଧନ ଗ୍ୟାସ୍ ର ଦରବୃଦ୍ଧି ବିରୁଦ୍ଧରେ ସିପିଆଇ ଓ ବିକେଏମୟୁର ବିକ୍ଷୋଭ

ରନ୍ଧନ ଗ୍ୟାସ୍ ର ଦରବୃଦ୍ଧି ବିରୁଦ୍ଧରେ ସିପିଆଇ ଓ ବିକେଏମୟୁର ବିକ୍ଷୋଭ

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ରନ୍ଧନ ଗ୍ୟାସ୍ ର କ୍ରମାଗତ ଦରବୃଦ୍ଧି ଘଟି ସିଲିଣ୍ଡର ଦାମ୍ ହଜାରେ ଟଙ୍କା ଟପିସାରିଲାଣି । ଏହା ଗରିବ ଓ ମଧ୍ୟବିତ ପରିବାରଙ୍କ ହାଣ୍ଡିଶାଳ ଉପରେ ବୋମା ମାଡ଼ ଭଳି । ଏଥିରେ ଅତିଷ୍ଠ ହୋଇ ଗୃହିଣୀମାନେ ତ୍ରାହି ତ୍ରାହି ଡାକିଲେଣି ।

ଏହା ବିରୁଦ୍ଧରେ ପ୍ରତିବାଦ ଜଣାଇବା ପାଇଁ ରାଜଧାନୀ ଭୁବନେଶ୍ୱରଠାରେ ଆଜି ସିପିଆଇ ଓ ବିକେଏମୟୁ ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସିପିଆଇର  ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଉଭୟ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାକାରୀମାନେ ସମଗ୍ର ଅଶୋକନଗର ଓ ମାଷ୍ଟରକ୍ୟାନଟିନ ଅଂଚଳ ପରିକ୍ରମା କରିବା ପରେ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିକ୍ଷୋଭକାରୀମାନଙ୍କୁ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଉଦବୋଧନ ଦେଇ ମୋଦି ସରକାର ତୈଳ ଓ ଗ୍ୟାସ୍ ଦରକୁ ପ୍ରାୟ ପ୍ରତିଦିନ ବଢ଼ାଇ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚାଲିଥିବାବେଳେ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ମନ୍ଦିର-ମସଜିଦ୍ ବିବାଦ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜୋନ ସହସମ୍ପାଦକ କୈଳାସ ପୁହାଣ, ନାନିକା ମୁଣ୍ଡା, ଲୋକନାଥ ଭୋଇ, ପାର୍ବତୀ ଲାଗୁରି, ଅଶୋକ ବାରିକ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଶଙ୍କର ବାରିକ, ଶିବ ବେହେରା, କୁନା ଜାଲି ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *