Monday , September 25 2023
Breaking News
Home / ରାଜନୀତି / କେନ୍ଦ୍ର ସରକାର ଏକ୍ସାଇଜ୍ ଡୁ୍ୟଟି କମାଇଲା ପରେ ଓଡ଼ିଶା ସରକାର ଭାଟ୍ କମାଇବାକୁ ସମାଜବାଦୀ ପାର୍ଟିର ଦାବି

କେନ୍ଦ୍ର ସରକାର ଏକ୍ସାଇଜ୍ ଡୁ୍ୟଟି କମାଇଲା ପରେ ଓଡ଼ିଶା ସରକାର ଭାଟ୍ କମାଇବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଜନମତ ଆଗରେ ମୁଣ୍ଡ ନୁଆଁଇ ଅତ୍ୟଧିକ ଭାବରେ ବଢିଚାଲିଥିବା ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରେ ଉତ୍ପାଦନ ଶୁଳ୍କ କମାଇବା ପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁଯାୟୀ ଆସନ୍ତାକାଲିଠାରୁ ପେଟ୍ରୋଲ୍ ଲିଟର ପିଛା ଟ.୯.୫୦ପଇସା ଓ ଡିଜେଲ୍ ଲିଟର ପିଛା ୭ଟଙ୍କା ଏବଂ ଉଜ୍ୱଳା ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ହିସାବରେ ବର୍ଷକୁ ୧୨ଟି ସିଲିଣ୍ଡର ପାଇଁ ୨୦୦ ଟଙ୍କା ଲେଖା ସବସିଡ୍ ଦେବାକୁ ସେ ଘୋଷଣା କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, କ୍ରମବର୍ଦ୍ଧିଷ୍ଣୁ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ ଡୁ୍ୟଟି ହ୍ରାସ କରିବା ପାଇଁ ଏବଂ ଏହିସବୁ ପେଟ୍ରୋଲିୟମ ପଦାର୍ଥକୁ ଜି.ଏସ୍.ଟି. ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ପକ୍ଷରୁ କ୍ରମାଗତ ଦାବି ହୋଇଆସିଥିଲା । ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ମଧ୍ୟ ଗତ ୭ ତାରିଖ ଦିନ ରାଜଭବନ ସମ୍ମୁଖରେ ବିକ୍ଷୋଭ କରି ପେଟ୍ରୋଲ୍, ଡିଜେଲ୍ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ଦାବି କରିବା ସହିତ ଗ୍ୟାସ୍ ରୁ ଭାଟ୍ କମାଇବା ପାଇଁ ମଧ୍ୟ ଦାବି କରି ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା । ଆଜି ଯେତେବେଳେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍ ଉପରୁ ଲିଟର ପିଛା ୮ ଟଙ୍କା ଏକ୍ସସାଇଜ୍ ଡୁ୍ୟଟି ଓ ଡିଜେଲ୍ ଉପରୁ ଲିଟର ପିଛା ୬ଟଙ୍କା ଏକ୍ସସାଇଜ୍ ଡୁ୍ୟଟି ହ୍ରାସ କରିଛନ୍ତି ଏବଂ ଜାଳେଣୀ ଗ୍ୟାସ୍ ରେ ଉଜ୍ଜଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡ୍ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି, ସେତିକିବେଳେ ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଉପରୁ ରାଜ୍ୟ ନେଉଥିବା ଭାଟ୍ କୁ ଅନ୍ତତଃ ଲିଟର ପିଛା ୫ଟଙ୍କା ହ୍ରାସ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଆଜି ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପେଟ୍ରୋଲିୟମଜାତ ପଦାର୍ଥ ମଧ୍ୟରୁ ୫ ଟଙ୍କା ଭାଟ୍ କମାଇବାକୁ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *