କଟକ, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ଜଳପୁରୁଷ ଡ.ରାଜେନ୍ଦ୍ର ସିଂ ଓଡ଼ିଶାରେ ମହାନଦୀର ପ୍ରାରମ୍ଭ ସ୍ଥଳ ଶୁଖାସୋଢ଼ା ଓ ଛତିଶଗଡ଼ର ଶେଷ ବିନ୍ଦୁ କଲମା ବ୍ୟାରେଜ ପରିଦର୍ଶନ କରିବା ପରେ ମହାନଦୀର ଦୁଃସ୍ଥିତିକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ ଓଡ଼ିଶାରେ ଥିବା ଯାଏ (ଆଗାମୀ ଦୁଇଦିନ ଅର୍ଥାତ ୨୦ ଓ ୨୧ ତାରିଖ) ଅନ୍ନଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଡ଼ ସିଂ ଙ୍କୁ ସମର୍ଥନ ଜଣାଇ କଟକ ଓ କେନ୍ଦ୍ରାପଡ଼ା ଜିଲାରେ ଅଶୃଙ୍ଖଳା ପୁନରୁଦ୍ଧାର ଓ ବିକାଶ ମଂଚ ର ସଦସ୍ୟମାନେ ୨୦ ଓ ୨୧ ତାରିଖ ଦୁଇ ଦିନ ଅନ୍ନ ତ୍ୟାଗ କରିବା ପାଇଁ ଘୋଷଣା କରିଛନ୍ତି । ଜଳ ମାନବ ଡ଼ ସିଂ ଓଡ଼ିଶା ରେ ଥିବା ଦୁଇ ଦିନ ଅନ୍ନ ତ୍ୟାଗ କରିବେ ବୋଲି ଘୋଷଣା କରିବା ପରେ ଡ଼ ସିଂ ଙ୍କୁ ସମର୍ଥନ ଜଣାଇ ଆମେ ମଧ୍ୟ ଦୁଇ ଦିନ ଅନ୍ନ ତ୍ୟାଗ କରିବା ବୋଲି ମଂଚର ସଭାପତି ଡ଼ ଅମରେନ୍ଦ୍ରନାଥ ମହାନ୍ତି ଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ମଂଚର ସଦସ୍ୟ ଆଡ଼ଭୋକେଟ ହୃଦୟନିଧି ମହାନ୍ତି ,ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ମଂଚର ଆବାହକ ଲକ୍ଷ୍ମୀଦାଶ, ସରୋଜ କୁମାର ମହାନ୍ତି, କୈଳାଶ ସ୍ୱାଇଁ, ସ୍କୃତିରଂଜନ ବାରିକ,ନୃସିଂହପ୍ରସାଦ ଦାସ ପ୍ରମୁଖ ଦୁଇ ଦିନ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ସମ୍ମତି ପ୍ରକାଶ କରିଛନ୍ତି ।
ମହାନଦୀ ନ୍ୟାୟାଧୀକରଣ ଗଠନର ୪ ବର୍ଷ ପୂର୍ତ୍ତି ପରେ ବର୍ତ୍ତମାନ ନଦୀର ସ୍ଥିତି ଅନୁଧ୍ୟାନ ପାଇଁ କଟକଠାରୁ ଛତିଗଡ଼ର କଲମା ପର୍ୟ୍ୟନ୍ତ ଜାତୀୟସ୍ତରର ନଦୀ ସୁରକ୍ଷା ସଂଗ୍ରାମୀମାନଙ୍କୁ ନେଇ ମହାନଦୀ ଯାତ୍ରା କରାଯାଇଥିଲା । ଗୁରୁବାର ସନ୍ଧ୍ୟା ରେ ଝାରସୁଗୁଡ଼ା ମାଇକ୍ରୋ କଣ୍ଟିନେଣ୍ଟାଲରେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳପୁରୁଷ ଡ.ରାଜେନ୍ଦ୍ର ସିଂ କହିଥିଲେ ମହାନଦୀର ସଂଘର୍ଷ ଗତ ୭ବର୍ଷ ହେଲା ଜାରି ରହିଛି । ଏହାକୁ ସରକାରମାନେ କାବେରୀ ବିବାଦ କରିବାକୁ ଚାହୁଁଛନ୍ତି, ଯେମିତି କାବେରୀ ବିବାଦ ୬୦ବର୍ଷ ହେଲା ପରେ ବି ସମାଧାନର ସୂତ୍ର ବାହାରି ପାରିନାହିଁ ।
ତେବେ ନଦୀର ବିବାଦ ଏତେ ବଡ଼ ନୁହେଁ ଯେ ସମାଧାନ ବାହାରି ପାରିବ ନାହିଁ, ଏହାର ସମାଧାନର ସୂତ୍ର ଖୁବ୍ ସହଜ । ମୋ ଜୀବନର ୪୫ବର୍ଷ କାଳରେ ଅନେକ ଛୋଟ ନଦୀ ମରିଯିବା ଦେଖିଛି କିନ୍ତୁ ମହାନଦୀ ଭଳି ଏକ ରାଷ୍ଟ୍ରୀୟ ନଦୀ ମରିବା ଅବସ୍ଥାକୁ ଆସିବା ବିଷୟ ଭାରି କଷ୍ଟକର। ମହାନଦୀ ପୁଣି ପୂର୍ବଭଳି ପ୍ରାକୃତିକ ସ୍ରୋତରେ ପ୍ରବାହିତ ହେଉ ଓ କୋଟି କୋଟି ଜନତାଙ୍କ ଜୀବନ ଆଧାର ପାଲଟୁ ତାହା ମୁଁ ଚାହେଁ ବୋଲି ଶ୍ରୀ ସିଂହ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ‘ଆଓ ନଦୀକୋ ଜାନୋ’ ଅଭିଯାନର ଆବାହକ ମହାରାଷ୍ଟ୍ର ବାସିନ୍ଦା ନରେନ୍ଦ୍ର ଚୁଘ ଓ ମହାନଦୀ ବଞ୍ଚାଅ ଅଭିଯାନର ସୁଦର୍ଶନ ଦାସ ,ସହ ଆବାହକ ବାସୁଦେବ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର