ଗଞ୍ଜାମ ,୧୮/୦୫/୨୦୨୨ ( ଓଡ଼ିଶା ସମାଚାର)- ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ଅବସରରେ ମାଆଙ୍କ ପୀଠରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ମୁଖ୍ୟ ପୁରୋଧା ଭାବେ ବସିଛନ୍ତି । ଭବ୍ୟ ମନ୍ଦିରର ପ୍ରତିଷ୍ଠା ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ହାତ ଯୋଡ଼ି ମାଆଙ୍କୁ ପ୍ରଣାମ କରିଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୯.୧୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଗଞ୍ଜାମର ପୁରୁଷତ୍ତୋମପୁରରେ ଥିବା ତାରାତାରିଣୀ ପୀଠ ଗସ୍ତ କରିଥିଲେ। ମାଆ ତାରାତାରିଣୀ ପର୍ବତ ନିକଟରେ ଏକ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଅବତରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ୟ୍ୟ କରାଯାଇଛି। ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବଣ୍ଟନ ଗୃହ ଓ ଦୀପ ଘର ଆଦି ନିର୍ମାଣ କରାଯାଇଛି। ଏହାସହ ମନ୍ଦିରର ସୌନ୍ଦର୍ୟ୍ୟକରଣକୁ ବୃଦ୍ଧି ପାଇଁ ବୃକ୍ଷରୋପଣ ମଧ୍ୟ କରାଯାଇଛି।
ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ୟ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ମା’ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ୟ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଭକ୍ତ ଓ ପର୍ୟ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ । ଗଞ୍ଜାମବାସୀଙ୍କ ସୁଖଦୁଃଖ ରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମାଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି।
ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ପ୍ରତିଷ୍ଠା ଉତ୍ସବରେ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ମା ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ମାନେ ମଧ୍ୟ ଯୋଗ ଦେଇଥିଲେ ।
ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଵିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା ।ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ। କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା ତାରା ଓ ତାରିଣୀ। ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି।
ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ ଏବେ ରୋପଓ୍ବେ ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି ।
ଏହି କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାରାତାରିଣୀ ମନ୍ଦିରର ରୂପାନ୍ତରକୁ ୫ଟି ରୂପାନ୍ତରଣ କାର୍ୟ୍ୟକ୍ରମର ପ୍ରକୁଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ ।
କାର୍ୟ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ ସାଂସଦ ବିଧାୟକ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ୟ୍ୟକୁ ଅନୁଭବ କରିବାର ସୁଯୋଗ ପର୍ୟ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଓଡ଼ିଶା ସମାଚାର
Home / ବିଶେଷ / ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ତାରାତାରିଣୀଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ