Sunday , September 24 2023
Breaking News
Home / ବିଶେଷ / ପ୍ରେମ ଓ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ଭଗବାନ ବୁଦ୍ଧ : ଗୋପାଳ ବଲ୍ଲଭ ପଟ୍ଟନାୟକ

ପ୍ରେମ ଓ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ଭଗବାନ ବୁଦ୍ଧ : ଗୋପାଳ ବଲ୍ଲଭ ପଟ୍ଟନାୟକ

୨୫୬୬ତମ ବୁଦ୍ଧ ଜୟନ୍ତୀ ପାଳିତ
ଭୁବନେଶ୍ୱର,୧୬/୦୫/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ମହାବୋଧି ସମିତି, ଓଡ଼ିଶା ଶାଖା ପକ୍ଷରୁ ସତ୍ୟ, ଅହିଂସା, ପ୍ରେମ ଓ କରୁଣାର ଅବତାର ଭଗବାନ ତଥାଗତ ବୁଦ୍ଧଙ୍କ ୨୫୬୬ତମ ବୁଦ୍ଧ ଜୟନ୍ତୀ ୟୁନିଟ୍-୯ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ସର୍ବୋଚ୍ଚ ନ୍ୟାୟାୟଳର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତି ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଲେ ଯେ, ପ୍ରେମ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ଭଗବାନ ତଥାଗତ ବୁଦ୍ଧ । ବର୍ତମାନ ବିଶ୍ୱରେ ଯେଉଁ କରାଳ ଛାୟା ଦେଖାଯାଉଛି, ସେଥିରୁ ମୁକ୍ତି ପାଇଁ ବୁଦ୍ଧଙ୍କ ଅହିଂସା, ସତ୍ୟ, ପ୍ରେମ, କରୁଣା ହିଁ ଏକମାତ୍ର ମାର୍ଗ । ବୁଦ୍ଧଙ୍କ ଜନ୍ମ ସମୟର ଭାରତବର୍ଷର ପାରିପାଶ୍ୱର୍ିକ ଅବସ୍ଥାକୁ ଯଦି ଆମେ ଚିନ୍ତା କରିବା, ତେବେ କିଭଳି ପରିସ୍ଥିତିରେ ସେ ବିଶ୍ୱକୁ ଶାନ୍ତିର ବାର୍ତା ଦେଇଥିଲେ ଆମେ ଆଜି ତାର ପରିକଳ୍ପନା କରିପାରିବା ନାହିଁ । ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ବିରୁଦ୍ଧରେ ଗୌତମ ବୁଦ୍ଧଙ୍କ ମଧ୍ୟମ ପନ୍ଥା ଥିଲା ଶ୍ରେଷ୍ଠ ପନ୍ଥା । ଧର୍ମର ପ୍ରୟୋଗ ଉପରେ ଗୌତମ ବୁଦ୍ଧ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ସରଳ ମାର୍ଗରେ ନିଜକୁ ନିଜେ ସୋଧନ କରି, ବୁଦ୍ଧ ହେବା ପାଇଁ ସେ ମାନବ ଜାତିକୁ ଆହ୍ୱାନ ଦେଇଥିଲେ ।
ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ଡିପିଆଇ ପ୍ରଫେସର ଡଃ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଗୌତମ ବୁଦ୍ଧଙ୍କ ସମସ୍ତ ବାଣୀ ବିଶ୍ୱର ତଥା ବ୍ୟକ୍ତିର ମଙ୍ଗଳ ପାଇଁ ଉଦ୍ଧିଷ୍ଟ । କାମନାର ବିନାଶରେ ଦୁଃଖର ବିନାଶ, ଏହା ତାଙ୍କର କାଳଜୟୀ ବାଣୀ, ସେହିଭଳି ସଂସାର ଦୁଃଖମୟ, କିନ୍ତୁ ଅଷ୍ଟାଙ୍ଗ ମାର୍ଗ ଦ୍ୱାରା ଆମେ ଦୁଃଖକୁ ପ୍ରତିହତ କରିପାରିବା । ମଣିଷ ଆଚରଣ ସିଦ୍ଧ ହେଲେ ସବୁକିଛି ତା ଦ୍ୱାରା ସମ୍ଭବ ବୋଲି ସେ କହିଥିଲେ । ସତ୍ ଭାବନା, ସତ୍ କଥନ, ସତ୍ ଜୀବିକା ଭଳି ଆଠଟି ମାର୍ଗ ସେ ଦେଖାଇଥିଲେ, ଯାହାକୁ ମଣିଷ ନିଜ ଜୀବନରେ ପ୍ରୟୋଗ କରିବାର ଆବଶ୍ୟକତା ଅଛି ।
ସଭାପତି ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ଭଗବାନ ବୁଦ୍ଧ, ପଂଚଶୀଳର କଥା କହିଛନ୍ତି, ଯାହା ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଧିଷ୍ଟ । କୌଣସି ଜୀବକୁ କଷ୍ଟ ଦେବା, ଚୋରି ବା ଅସଦ୍ ଉପାୟରେ ଉପାର୍ଜନ, ଯୌନ ବ୍ୟଭିଚାର, ମିଥ୍ୟା କଥନ ବା କଟୁ ଭାଷାର ପ୍ରୟୋଗ ଓ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା । ଏହା ଶୁଣିବାକୁ ସରଳ ଜଣାପଡୁଥିଲେ ମଧ୍ୟ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା କଠିନ ହୋଇପାରେ ସତ, କିନ୍ତୁ ଏହା ଯେ ସମାଜ ଓ ବ୍ୟକ୍ତି ପାଇଁ ମଙ୍ଗଳକର ଏହା ସର୍ବଜନ ସ୍ୱୀକୃତ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୀକ୍ଷୁ ଧର୍ମାଲୋକ ପଂଚଶୀଳ ଓ କେନ୍ଦ୍ରୀୟ କମିଟିର ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଓ କେନ୍ଦ୍ରୀୟ କମିଟିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡଃ ଅସିତ୍ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ‘କଳିଙ୍ଗ’ ସ୍ମରଣିକାକୁ ମୁଖ୍ୟ ଅତିଥି ନ୍ୟାୟମୂର୍ତି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, କୋଷାଧ୍ୟକ୍ଷ ତି୍ରବିକ୍ରମ ମହାନ୍ତି, ପ୍ରଫେସର ବେଦବତୀ ମହାନ୍ତି, ସିଦ୍ଧାର୍ଥ ପଣ୍ଡା, ନବୀନ କୁମାର ସାହୁ, କରୁଣାକର ପ୍ରଧାନ, ସ୍କୁଲ୍ର ଅଧ୍ୟକ୍ଷ ଶିଶୁ ଗୋସ୍ୱାମୀ, ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *