ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ଉପରେ ଓ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସଂପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ସଂଜୀବ କୁମାର ବଳିୟାନ୍ଙ୍କୁ ସ୍ଥାନୀୟ ମେ ଫେୟାର ହୋଟେଲ୍ ଠାରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ତିନିଜଣିଆ ପ୍ରତିନିଧି ଦଳ ଏହାର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ସମଗ୍ର ବିଶ୍ୱରେ ଭାରତବର୍ଷ ଦୁଗ୍ଧ ଉତ୍ପାଦନରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ପରେ କେନ୍ଦ୍ର ସରକାର ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ଅନ୍ୟାନ୍ୟ କୃଷି ସାମଗ୍ରୀ ଭଳି ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି । ଫଳରେ ୧୪କୋଟି ଦୁଗ୍ଧଉତ୍ପାଦନକାରୀ ଅର୍ଥନୈତିକ ଶୋଷଣର ଶିକାର ହେବା ସହିତ ଅଭାବୀ ବିକ୍ରିର ସମ୍ମୁଖୀନ ମଧ୍ୟ ହେଉଛନ୍ତି । କରୋନା ତିରୋଟ ସମୟରେ ରାଜ୍ୟ ସରକାର ଓ ଦୁଗ୍ଧ ସମବାୟ ସଂସ୍ଥାମାନେ ଚାଷୀମାନଙ୍କଠାରୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ କ୍ରୟ ନ କରିବା ଯୋଗୁଁ ସେମାନେ ଅର୍ଥନୈତିକ ଦୁରବସ୍ଥାର ସମ୍ମୁଖୀନ ହେଲେ । କେତେକ ରାଜ୍ୟ ସରକାର ଦୁଗ୍ଧଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିଥିଲେ ମଧ୍ୟ ଏହା ‘ସମୁଦ୍ରକୁ ଶେଙ୍ଖ ନ୍ୟାୟରେ’ ଚାଷୀମାନଙ୍କର ଆର୍ଥିକ କ୍ଷତିକୁ ପୂରଣ କରିବାରେ ସହାୟକ ହେଲାନାହିଁ । ଏଠାରେ ଉଲ୍ଲେଖଥାଉକି, ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଅର୍ଥନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗ୍ରାମାଂଚଳରେ ଅର୍ଦ୍ଧଶିକ୍ଷିତ ମହିଳା ଓ ଗ୍ରାମ୍ୟ ବେକାର ଯୁବକ ଯୁବତୀମାନେ ରୋଜଗାର କରିବା ପାଇଁ ଦୁଗ୍ଧ ଉତ୍ପାଦନକୁ ଏକ ଉପଯୁକ୍ତ ମାଧ୍ୟମ ଭାବରେ ଗ୍ରହଣ କରିଆସିଛନ୍ତି, କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହା ପ୍ରତି ଗୁରୁତ୍ୱ ନ ଦେବା ଯୋଗୁଁ ଏହା ଯେଉଁ ବଳିଷ୍ଠ ଭୂମିକା ଗ୍ରହଣ କରିବା କଥା ତାହା କରିପାରୁନାହିଁ । ତେଣୁ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତୁରନ୍ତ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୫୦ ଟଙ୍କା କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ଏହାସହିତ ଦେଶରୁ ପୁଷ୍ଟିହୀନତା ଦୂର କରବା ପାଇଁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେମାନେ ଦର୍ଶାଇଛନ୍ତି । ତେଣୁ କେନ୍ଦ୍ର ସରକାର ମହିଳା ଓ ଶିଶୁ ବିଭାଗ ଏବଂ ଶିକ୍ଷା ବିଭାଗ ମନ୍ତ୍ରୀମାନେ ଆଇ.ସି.ଡି.ଏସ୍. ପ୍ରୋଗ୍ରାମ ଓ ମଧ୍ୟାହ୍ନ ଭୋଜନରେ ପନିର ଓ ଗୁଣ୍ଡ ଦୁଗ୍ଧକୁ ସାମିଲ୍ କଲେ ଏହା ଛୋଟ ଛୋଟ ପିଲା ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ଏହି ସ୍ମାରକପତ୍ରରେ କୁହାଯାଇଛି । ଦେଶରେ ନୂଆ ତିଆରି ହେଉଥିବା ଜାତୀୟ ରାଜପଥ କଢରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯଦି “ମିଲ୍କ ପାର୍ଲର’ ଖୋଲିବା ପାଇଁ ପଦକ୍ଷେପ ନିଅନ୍ତେ, ତାହାଦ୍ୱାରା ନୂତନ ରୋଜଗାର ସୃଷ୍ଟି ହୁଅନ୍ତା ଏବଂ ଯାତ୍ରୀମାନେ ମଧ୍ୟ ସହଜରେ ଚା’, କଫି, ରାବିଡି, ଦହି ଓ ଛେନା ଭଳି ଦୁଗ୍ଧଜାତ ଦ୍ରବ୍ୟ ପାଇପାରନ୍ତେ । ବିଭିନ୍ନ ମନ୍ଦିର ପରିସରରେ ଉତ୍ସର୍ଗୀକୃତ ଭାବରେ ମନ୍ଦିରର ପୂଜାର୍ଚ୍ଚନା ପାଇଁ ‘ମିଲ୍କ ହବ୍’ ସ୍ଥାପନ କରିବାକୁ ଦୁଗ୍ଧଚାଷୀ ମହାସଂଘ ଦାବି କରିଛି । ଉଦାହରଣ ଦେବାକୁ ଯାଇ ସେମାନେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଜଗନ୍ନାଥ ମନ୍ଦିର, ଉତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର ଓ ଅଯୋଧ୍ୟାର ରାମ ମନ୍ଦିର, ତିରୁପତିର ଭେେଙ୍କଟେଶ୍ୱର ମନ୍ଦିର, କେରଳର ଗୁରୁବାଇରୁ ମନ୍ଦିର ଏବଂ ଗୁଜୁରାଟର ସୋମନାଥ ମନ୍ଦିର ପରିସରରେ ଏହି ମିଲ୍କ ହବ୍ ସବୁ ଖୋଲିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ଏହା ବ୍ୟତୀତ ସର୍ବଭାରତୀୟ ସ୍ତରରେ କ୍ରମାଗତ ଭାବରେ ଅବକ୍ଷୟ ହୋଇଚାଲିଥିବା ଚାରଣ ଭୂମି, ଗୋଚରର ସୁରକ୍ଷା ପାଇଁ ସେମାନେ ଦାବି କରିଥିଲେ । ମାନ୍ୟବର ମନ୍ତ୍ରୀ ସ୍ମାରକପତ୍ରଟିକୁ ଗ୍ରହଣ କରିବା ସହିତ ଏ ସମ୍ପର୍କରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଶ୍ରୀ ବେହେରାଙ୍କ ସହିତ ସର୍ବଶ୍ରୀ ସୁଦର୍ଶନ ପ୍ରଧାନ ଓ ହୃଷିକେଶ ଷଡ଼ଙ୍ଗୀ ପ୍ରମୁଖ ସାମିଲ୍ ହୋଇ ମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର
