• ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ପ୍ରବନ୍ଧକ ମାନଙ୍କ ଠାରୁ ଏହା ମୋର ଅପେକ୍ଷା
• ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ଥିବା ଭାରତ ସରକାରଙ୍କ ନିୟମକୁ ରାଜ୍ୟ
ସରକାରମାନେ ପାଳନ କରିବା ଦରକାର
ଅନୁଗୋଳ, ୧୪/୦୫/୨୦୨୨( ଓଡ଼ିଶା ସମାଚାର )- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି । ରାଜ୍ୟ ସରକାରମାନେ ଏହାକୁ ପାଳନ କରିବା ଉଚିତ୍ । ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତି ନାହିଁ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ ।
ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଅଂଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତି ଓ ଅନ୍ୟାନ୍ୟ କୀର୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ । ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ପ୍ରବନ୍ଧକ ମାନଙ୍କ ଠାରୁ ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମବୀ କହିଛନ୍ତି । ଓଡ଼ିଶା ସମାଚାର