ଗରଦପୁର,୧୪/୦୫/୨୦୨୨( ଓଡ଼ିଶା ସମାଚାର )-ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆଙ୍କ ପୌରୋହିତ୍ୟରେ ଏକ ଦିବସିୟ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଆଶ୍ରମର ଡ଼ ସ୍ୱାମୀ ଚୀଦାନନ୍ଦ ମହାରାଜ ସ୍ୱାଗତ ଅଭିଭାଷଣ ରେ କହିଲେ ଯେ ପ୍ରଥମେ ଆମେ ସମସ୍ତେ ମଣିଷ , ତା ପରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବା ଧର୍ମର । ମଣିଷ ମାତ୍ରକେ ସମଗ୍ର ବିଶ୍ୱ ଏକ ପରିବାରର ସଦସ୍ୟ । ଭାରତ ମାଟିର ଆହ୍ୱାନ ଥିଲା ସର୍ବେ ଭବନ୍ତୁ ସୁଖୀନଃ । ସମସ୍ତ ବିଶ୍ୱର ପ୍ରତିଟି ମଣିଷ ଶାନ୍ତି ଓ ସଦଭାବନା ସହ ବଂଚିବାର ଆହ୍ୱାନ ଏହି ଭାରତ ମାଟି ହିଁ ପ୍ରଥମେ ବିଶ୍ୱକୁ ପ୍ରଦାନ କରିଥିଲା । ଏହି ଅବସରରେ ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ବର୍ତମାନ ପୃଥିବୀ ର ସମସ୍ତ ଦେଶ ଅଶାନ୍ତ । ସମସ୍ତେ ନିଜ ନିଜ ଦେଶର ସୁରକ୍ଷା ପାଇଁ ବୋମା ନିର୍ମାଣରେ ବ୍ୟସ୍ତ । କିନ୍ତୁ କେହି ପ୍ରେମ ଓ ସଦଭାବନାର ମାର୍ଗ କୁ ଆପଣାଇ ପାରୁନାହାନ୍ତି । ପ୍ରେମର ଭାବନା ପ୍ରସ୍ତୁତ କରିବାରେ ସମସ୍ତେ ବିଫଳ ହୋଇଛନ୍ତି । ସମଗ୍ର ବିଶ୍ୱ ଅଗ୍ନୀ ସ୍ତୁପ ଉପରେ ବସିଛି । ଏହାର ଭବିଷ୍ୟତ ଆଦୌ ଶୁଭଭଙ୍କର ନୁହେଁ । ଏଥିପାଇଁ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ନିତିଜ୍ଞ ଓ କୁଟ ନିତିଜ୍ଞମାନେ ମାନସ ମନ୍ଥନ କରିବା ଉଚିତ । ସମଗ୍ର ବିଶ୍ୱରେ ମାନବ ଧର୍ମର ପ୍ରତିଷ୍ଠା ହେଉ , ଏହା ବଳିଆ କାମନା କରୁଅଛି ବୋଲି କହିଥିଲେ । ଅଧିକନ୍ତୁ ଏହି ପ୍ରାର୍ଥନା ସଭାରେ ବାବା ବଳିଆ କହିଲେ ଯେ ଇଶ୍ୱରଙ୍କୁ ଅନେକ ନାମରେ ସମ୍ବୋଧନ କଲେ ଇଶ୍ୱର ଅନେକ ହୋଇ ଯାଆନ୍ତି ନାହିଁ । ଏକ ଅଦୃଶ୍ୟ ଶକ୍ତିକୁ ସମସ୍ତେ ଭିନ୍ନ ଭିନ୍ନ ନାମରେ କେବଳ ଡ଼ାକୁଛନ୍ତି । ଏଣୁ ଇଶ୍ୱର ଉପାସନାକୁ ନେଇ ହିଂସା ବିଦ୍ୱେଶ ଭାବ ସୃଷ୍ଟି ହେବା ସମ୍ପୂର୍ଣ୍ଣ ନିରର୍ଥକ । ଏହି ସର୍ବ ଧର୍ମ ପ୍ରାର୍ଥନା ସଭାରେ ବୌଦ୍ଧଭିକ୍ଷୁ ଧର୍ମାଲୋକ ଇସଲାମ ଧର୍ମର ମୁସିଫ ମସୁର ଅଲାମ ଆଦନାନ , ଖ୍ରୀଷ୍ଟ ଧର୍ମରୁ ମିହିର କୁମାର ସିଂ, ଜୈନ ଧର୍ମର ବାବା ଚାନ୍ଦ ଜୈନ , ଶିଖ ଧର୍ମର ଏସ କାଶ୍ମିରା ସିଂ, ବାହାଇ ଧର୍ମର ଶରତ ସ୍ୱାଇଁ ଓ ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର