Wednesday , May 25 2022
Breaking News
Home / ବିଶେଷ / କିନ୍ନରଙ୍କୁ ଆକ୍ରମଣ ଘଟଣା: କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

କିନ୍ନରଙ୍କୁ ଆକ୍ରମଣ ଘଟଣା: କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୧୩/୦୫/୨୦୨୨( ଓଡ଼ିଶା ସମାଚାର )-କିନ୍ନରଙ୍କୁ ଆକ୍ରମଣ ଘଟଣା ନେଇ ଶୁକ୍ରବାର କେନ୍ଦ୍ରାପଡ଼ା, ପାରାଦୀପ, କନ୍ଦରପୁର, କଟକ ଓ ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ଆସିଥିବା ୫ଶହରୁ ଅଧିକ କିନ୍ନର କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ଅବସରରେ କିନ୍ନରମାନେ ସେମାନଙ୍କ ଦାବି ପୂରଣ ପାଇଁ ହୁଳହୁଳି ପକାଇ ଏସପିଙ୍କ କାର୍ଯ୍ୟାଳୟ ପ୍ରକମ୍ପିତ କରିଦେଇଥିଲେ । ଏଥିରେ ଆରକ୍ଷୀ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡ଼କର ବାଧ୍ୟହୋଇ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଡିଏସପି କାର୍ତିକ ମଲ୍ଲିକଙ୍କୁ କିନ୍ନରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । ଉଭୟ ଅଧିକାରୀ କିନ୍ନରମାନଙ୍କ ସହ କଥାହୋଇ ଘଟଣା ବିଷୟରେ ପଚାରି ବୁଝିଥିଲେ । କିନ୍ନରମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ କଜଳାରେ କେତେକ କିନ୍ନର ସରକାରୀ ଜାଗାରେ ରହୁଛନ୍ତି । କିନ୍ତୁ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ସେଠାରେ ଆକ୍ରମଣ କରିଥିଲେ । ଏ ନେଇ ସେମାନେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେମାନେ ପୋଲିସକୁ ଜଣାଇଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ବୋଲି କିନ୍ନରମାନେ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ନ ଥିବାରୁ ସେମାନେ ମାରଣାସ୍ତ୍ର ଧରି କିନ୍ନରମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି । ଏହାଦ୍ୱାରା କିନ୍ନରମାନଙ୍କ ଜୀବନ ବିପଦାପନ୍ନ ହୋଇଛି ବୋଲି ସେମାନେ କହିଥିଲେ । ଏହାପରେ ଏସପିଙ୍କ ନିର୍ଦେଶକ୍ରମେ ଡିଏସପି କାର୍ତିକ ମଲ୍ଲିକ ଟାଉନ୍ ଥାନା ଅଧିକାରୀଙ୍କୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ଡିଏସପିଙ୍କ ଠାରୁ ନିର୍ଦେଶ ପାଇବା ପରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି । କିନ୍ନରମାନେ କହିଥିଲେ ସରକାରୀ ଜାଗାରେ ବହୁ ଲୋକ ଘର କରି ରହୁଛନ୍ତି । ଆମେ ସରକାରୀ ଜାଗାରେ ଘର କରି ରହିଲେ ପାପ କ’ଣ । କଜଳାରେ ଅନେକ ଅସାମାଜିକ ବ୍ୟକ୍ତି ସରକାରୀ ଜାଗାକୁ ମାଡିବସି ଘର କରି ରହୁଛନ୍ତି । କେତେକ ଅସାମାଜିକ ବ୍ୟକ୍ତି ସରକାରୀ ଜାଗାକୁ ଲୋକଙ୍କ ଠାରୁ ପଇସା ନେଇ ନିଲାମ କରୁଛନ୍ତି । କିନ୍ତୁ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆମେ ସରକାରୀ ଜାଗାରେ ଘର କରି ରହିଲେ ଅସାମାଜିକ ବ୍ୟକ୍ତିମାନେ ଆମ ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ପୋଲିସ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରୁନାହିଁ । ଯେପର୍ଯ୍ୟନ୍ତ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତିମାନେ ଗିରଫ ହୋଇ ନାହାଁନ୍ତି ସେପର୍ଯ୍ୟନ୍ତ ଆମେ ଏସପି ଅଫିସରୁ ଉଠିବୁ ନାହିଁ ବୋଲି କିନ୍ନରମାନେ ଜିଦି ଧରିବା ସହ ହୁଳହୁଳି ପକାଇଥିଲେ । ଏହାପରେ ଏସପି ସନ୍ଦୀପ ସମ୍ପଦ ମଡ଼କର ଘଟଣା ସ୍ଥଳକୁ ଆସି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କିନ୍ନରମାନେ ଏସପି ଅଫିସ ଛାଡିଥିଲେ । ଏହି ବିକ୍ଷୋଭ ସ୍ଥଳରେ କିନ୍ନରଙ୍କ ନେତା ପ୍ରତାପ ସାହୁ, କିନ୍ନର ସଂଘର ରାଜ୍ୟ ସଭାପତି ସୁଇଟି ସାହୁ, କେନ୍ଦ୍ରାପଡ଼ା ସଂଘର ସଭାପତି ଦେବିକା ବାରିକ, ରାଜଶ୍ରୀ କିନ୍ନର, ବଡ଼ବିଲର ସୋନମ କିନ୍ନର, କେନ୍ଦୁଝରର ପ୍ରାଚୀ କିନ୍ନର, କଟକର କାଜଲ କିନ୍ନରଙ୍କ ସମେତ ୫ଶହରୁ ଊଦ୍ଧ୍ୱର୍ କିନ୍ନର ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *