ଗରଦପୁର,୧୨/୦୫/୨୦୨୨( ଓଡ଼ିଶା ସମାଚାର )-ମହାନଦୀର ଏକ ଶାଖା ନଦୀ ମହାନଦୀର ଉତର ପାଶ୍ୱର୍ କଟକ ଜିଲାର ସାହୁକ୍ଷେତ ଠାରୁ ବାହାରି ପାଳଦା, ବାବୁଜଙ୍ଗ, ସଫିପୁର, ପିଇଁପୁର, ଉତରକୂଳ, ମୁଗୁରିଆ ,ଧାରିବିଲ, ଓଡ଼ଖଣ୍ଡ, ବିରିବନ୍ଧ ଓ କେନ୍ଦ୍ରାପଡ଼ା ଜିଲାର ଜୟତଳଙ୍ଗ ଆଦି ଗ୍ରାମ ଦେଇ ପ୍ରବାହିତ ହୋଇ ସାନନୟନପୁର ଠାରେ ପୁଣି ମହାନଦୀରେ ମିଶିଛି । ମହାନଦୀର ଏହି ଶାଖା ନଦୀର ନାମ ସୁକ ପାଇକା । ଏହାର ଉପରମୁଣ୍ଡ ସାହୁକ୍ଷେତ ଠାରେ କୌଣସି ସ୍ଥୁଇସ ଗେଟ ନିର୍ମାଣ କରାନଯାଇ ନଦୀବନ୍ଧ କରାଯିବା ଦ୍ୱାରା ମହାନଦୀରୁ ଆଉ ବନ୍ୟା ଜଳ ଏହି ସୁକ ପାଇକା ମଧ୍ୟକୁ ପ୍ରବେଶ କରୁନାହିଁ । ଫଳରେ ବର୍ଷ ସାରା ଏହି ସୁକ ପାଇକା ନଦୀଟି ସୁଖିଲା ପଡ଼ୁଥିବାବେଳେ ବର୍ଷା ଦିନେ ଏହା ଉଦବୃତ ବର୍ଷା ଜଳରେ ପୂର୍ଣ୍ଣଗର୍ଭା ହେଉଛି । ମହାନଦୀର ଶାଖା ନଦୀ ସୁକ ପାଇକା ର ସାହୁକ୍ଷେତ ଠାରେ ନଦୀ ବନ୍ଧ ଦ୍ୱାରା ବନ୍ଦ କରାଯାଇଥିବା ମୁହାଣ ରେ ଏକ ସ୍ଲଇସ ଗେଟ ନିର୍ମାଣ କରାଯାଇ ମହାନଦୀରୁ ସୁକପାଇକା ମଧ୍ୟକୁ ବନ୍ୟାଜଳ ପ୍ରବେଶ କରାଯିବାର ନିହାତି ଆବଶ୍ୟକତା ଅଂଚଳ ବାସୀ ଅନୁଭବ କରୁଛନ୍ତି । ସେହିପରି ଏହି ସୁକ ପାଇକା ନଦୀ ମଧ୍ୟରେ ଏକାଧିକ ଚେକ୍ ଡ଼୍ୟାମ୍ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ଚେକ୍ ଡ଼୍ୟାମ ଜୟତଳଙ୍ଗ ଶନି ଠାକୁର ଗଡ଼ା ନିକଟରେ, ଆଉ ଏକ ଚେକ ଡ଼୍ୟାମ ବିରିବନ୍ଧ ନିକଟରେ, ଆଉ ଗୋଟିଏ ଧାରିବିଲ ନିକଟରେ ଓ ଆଉ ଲକ ଚେକ୍ ଡ଼୍ୟାମ ପିିଁଇଁପୁର ନିକଟରେ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଏହି ସୁକ୍ ପାଇକା ନଦୀକୁ ମହାନଦୀରୁ ବନ୍ୟା ଜଳ ପ୍ରବେଶ ପାଇଁ ସୁହୁକ୍ଷେତ ଠାରେ ସ୍ଲୁଇସ ଗେଟ ନିର୍ମାଣ ଓ ଏହା ମଧ୍ୟରେ ଚାରି ପାଂଚୋଟି ଚେକ୍ ଡ଼୍ୟାମ ନିର୍ମାଣ କରାଯିବାର ନିହାତି ଆବଶ୍ୟକତା ରହିଛି । ତାହା ନକରି ଡ଼୍ରେନେଜ ବିଭାଗ ପକ୍ଷରୁ ଆବଶ୍ୟକତା ନଥାଇ ପୋଲ ନିର୍ମାଣ କରାଯାଇ ସରକାରୀ ଅର୍ଥକୁ ଅଯଥା ଅପଚୟ କରାଯାଉଛି । ଉତରକୂଳ ସୁଦାମବତୀ ନିକଟରେ ସୁକପାଇକା ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପୋଲ ରହିଥିବାବେଳେ ଏହାର ମାତ୍ର ୧୦୦ ମିଟର ଦୂରରେ ଷ୍ଟେଟବ୍ୟାଙ୍କ ନିକଟରେ ଡ଼୍ରେନେଜ ବିଭାଗ ପକ୍ଷରୁ ଅନାବଶ୍ୟକ ଭାବେ ଏକ ପୋଲ ନିର୍ମାଣ କରାଯାଉଛି , ଯାହାକି କେବଳ ସରକାରୀ ଅର୍ଥର ଅପଚୟ ବ୍ୟତୀତ ଆଉ କିଛି ନୁହେଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ସାହୁକ୍ଷେତ ଠାରେ ମହାନଦୀରୁ ସୁକପାଇକା ନଦୀକୁ ଏକ ସ୍ଲୁଇସ ଗେଟ ନିର୍ମାଣ ଓ ସୁକପାଇକା ନଦୀ ମଧ୍ୟରେ ଅନ୍ୟୁନ ଚାରିଗୋଟି ଚେକ ଡ଼୍ୟାମ ତୁରନ୍ତ ନିମାଣ କରାଯିବାକୁ ଅଂଚଳବାସୀ ଦାବି କରିଛନ୍ତି । ଏହା କରାଯାଇ ପାରିଲେ ଅଣ ମୌସୁମୀ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରିବ, ଅଂଚଳର ଭୂତଳ ଜଳ ସ୍ତର ଠିକ୍ ରହି ପାରିବ ବୋଲି ଅଂଚଳବାସୀ ମତ ପ୍ରକାଶ କରିଛନ୍ତି । ଏଥିପ୍ରତି ଅଂଚଳବାସୀ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଜଳ ସମ୍ପଦ ବିଭାଗ ସଚିବ, କଟକ ଜିଲାପାଳ ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର