କେନ୍ଦ୍ରାପଡ଼ା,୦୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ର୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଉର୍ଦ୍ଧର୍ୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାରୁଲତା ପଟ୍ଟନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ବିଶିଷ୍ଠ ଶିକ୍ଷାବିତ ବାନାମ୍ବର ସାହୁଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜମଧର ପଂଚାୟତର ସରପଂଚ ରାଜକିଶୋର ଖୁଂଟିଆ, ମୁଖ୍ୟବକ୍ତା ଭାବେ ବାଲିଆ ସରକାରୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତପନ କୁମାର ସିଂ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ରତ୍ନାକର କ୍ଲଷ୍ଟରର ସି.ଆର.ସି.ସି. ଅନନ୍ତ ଚରଣ ପରିଡା, ନାଏବ ସରପଂଚ ବିଳାସିନୀ ଜେନା, ସେକ ହମିଦ, ମୋ ବିଦ୍ୟାଳୟର ସଭାପତି ଇଦ୍ରିସ ଗନି, ଅଜିତ କୁମାର ଦାସ, ସେକ ଅବଦୁଲ ସହଦ୍, ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଗତ ୨୦୧୪ମସିହା ସେପ୍ଟେମ୍ବର ମାସଠାରୁ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗଦାନ କରି ଶିକ୍ଷାନୁଷ୍ଠାନର ବହୁବିଧ ଉନ୍ନତି କରିବା ସହ ବିଦ୍ୟାଳୟର ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ କରାଇଥିଲେ । ଏଥିସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେ ଅତ୍ୟନ୍ତ ଅଦର ଯତ୍ନ ସହକାରେ ଶିକ୍ଷାଦାନ କରୁଥିଲେ । ତାଙ୍କରୀ ପାଇଁ ମୁସଲିମ ବସ୍ତିର ପିଲାମାନେ ଆଜି ହାଇସ୍କୁଲ ଓ କଲେଜରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । କର୍ତବ୍ୟ ନିଷ୍ଠ, ସମୟାନୁବର୍ତୀ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷୟିତ୍ରୀ ଭାବେ କେବଳ ବ୍ଲକ ସ୍ତରରେ ନୁହେଁ ସାରା ଜିଲ୍ଲାରେ ତାଙ୍କର ସୁନାମ ରହିଛି । ତାଙ୍କ ଅବସର ଜୀବନ ପ୍ରଭୁ ଶ୍ରୀଜଗନ୍ନାଥ ଓ ଆଲ୍ଲାଙ୍କ ଆର୍ଶ୍ରିର୍ବାଦରୁ ସୁସ୍ଥ ଓ ନିରାମୟ ହେଉ ବୋଲି ସମସ୍ତେ କାମନା କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କୁ ପୁଷ୍ପଗୁଛ, ମାନପତ୍ର, ଉତରୀୟ, ଫଟୋଚିତ୍ର ସମେତ ବିଭିନ୍ନ ଉପହାର ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ଶିକ୍ଷକ ସେକ ଫାୟାଜୁଦ୍ଧିନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
