Wednesday , May 18 2022
Breaking News
Home / କୃଷି / ସିଫା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ଅକ୍ଷୟ ତୃତୀୟା ପାଳନ

ସିଫା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର , ୦୫/୦୫/୨୦୨୨( ଓଡ଼ିଶା ସମାଚାର )- ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାର ପର୍ବ ଅକ୍ଷୟ ତୃତୀୟା ଆନନ୍ଦ ଉଲ୍ଲାସର ସହିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା (ସିଫା) ଏବଂ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ଖୋର୍ଦ୍ଧାର ମିଳିତ ସହଯୋଗରେ ବାଲିପାଟଣା ବ୍ଲକର ଧାନହରା ଗ୍ରାମରେ ଗତ ୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ଚାଷୀ ପ୍ରଶାନ୍ତ ଦାସଙ୍କ ଧାନ ବିଲରେ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଅଖିମୁଠି ଅନୁକୂଳ କରିଥିଲେ । ମୌସୁମୀ ବର୍ଷା ଆସିବା ପୂର୍ବରୁ ଓଡିଶାର କୃଷକମାନେ ଧରିତ୍ରୀ ମାତା ଓ ମାତା ଲକ୍ଷ୍ମୀଙ୍କୁ ଅକ୍ଷୟ ତୃତୀୟା ଦିନ ପୂଜା ଆରାଧନା କରିକୃଷି କାର୍ଯ୍ୟଆରମ୍ଭ କରିଥାନ୍ତି ।ଏହି ପବିତ୍ର ଉତ୍ସବରେ କୃଷକଙ୍କ ନିମନ୍ତେ ପ୍ରାକୃତିକ ଚାଷ ସମ୍ବନ୍ଧୀୟ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ଖୋର୍ଦ୍ଧା ମୁଖ୍ୟ ଶ୍ରୀ ଅଜୟ କୁମାର ଦାଶ ଖୋର୍ଦ୍ଧା ଜିଲ୍ଲାରେ ପ୍ରାକୃତିକ ଚାଷ ସମ୍ବନ୍ଧରେ ସବିଶେଷ ଆଲୋଚନା କରି କୃଷକମାନେ ଏହାକୁ ଆପଣେଇବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଏସ୍ ଏମ୍ ଏସ୍ ପ୍ରଜ୍ଞାନ ରଂଜନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଜୈବିକ ମତ୍ସ୍ୟଚାଷ ଉପରେ ଗୁରୁତ୍ୱାରୋପ କରିଥିଲେ । ଗୃହ ବିଜ୍ଞାନ ବିଭାଗର ଡଃ ହରପ୍ରିୟା ନାୟକ ପ୍ରାକୃତିକ କୃଷିକୁ ଉପଯୋଗ କରି କୃଷକମାନେ ରୋଜଗାର ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ଏସ୍ ଏମ୍ ଏସ୍ ସୁରେନ୍ଦ୍ର ସିଂ ଜିଆ ଖତ ଏବଂ ଅନ୍ୟାନ୍ୟ ଖତ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ଉପସ୍ଥିତ ଚାଷୀମାନଙ୍କୁ ଜିଆ ଖତ ବେଡ୍, ମାଛ ଖାଦ୍ୟ, ସିଫାକ୍ସ ଔଷଧ, ବ୍ୟାଟେରୀ ଚାଳିତ ସିଂଚନ ଯନ୍ତ୍ର ଏବଂ ରୋଷଶାଳା ବଗିଚା ପାଇଁ ପରିବା ମଂଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବଂଟନ କରାଯାଇଥିଲା । ପ୍ରାୟ ୧୪୦ ଜଣ କୃଷକ ଏବଂ ମହିଳା କୃଷିଜୀବି ଯୋଗଦାନ କରିଥିବା ଏହି ଉତ୍ସବରେ ଗୃହ ବିଜ୍ଞାନର ବୈଷୟିକ ଅଧିକାରୀ ସୁକାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ, ଆନୁସାଙ୍ଗିକ ବିକାଶ ପାଇଁ ଦାବି

ଜୁନାଗଡ଼, ୦୯/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନନ୍ଦେଲମାଲ ପଞ୍ଚାୟତ ଏକ …

Leave a Reply

Your email address will not be published. Required fields are marked *