Tuesday , September 27 2022
Breaking News
Home / ବିଶେଷ / କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୨୭/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଦାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ ପତି, ଜିଲ୍ଲା ଗ୍ରାମ୍ୟ ଉନ୍ନଉନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଉପସଭାପତି ଅଶୋକ ପ୍ରତିହାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପଂଚମ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତି ଗୁଡିକର ଅନୁପାଳନ ବିବରଣୀ ଦୃଢିକରଣ ପରେ ଆଲୋଚନା ଆରମ୍ଭ ହୋଇଥିଲା । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ ଉପସ୍ଥିତ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା, ବିଭିନ୍ନ ପଂଚାୟତ ସମିତିର ଅଧ୍ୟକ୍ଷ,ଅଧ୍ୟକ୍ଷା ଓ ସରକାରୀ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ବୈଠକରେ ମୁଖ୍ୟତଃ ଜଳକ୍ଲିଷ୍ଟ ଅଂଚଳରେ ପାନୀୟ ଜଳର ସୁବିଧା ଓ ଯୋଗାଣ, ସ୍ୱାସ୍ଥ୍ୟ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ବିଷୟରେ ବିଶଦ ଆଲୋଚନା ହୋଇଥିଲା । ଜିଲ୍ଲାରେ ମୋଟ ୨୪୯ଟି ଗ୍ରାମପଂଚାୟତର ୧୪୧୪ଟି ଗ୍ରାମରେ କାର୍ଯ୍ୟକ୍ଷମ ଥିବା ୧୭ ହଜାର ୨୩୮ଟି ନଳକୂପ ମଧ୍ୟରୁ ଅଚଳ ଥିବା ନଳକୂପକୁ ତ୍ୱରିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ମେଗା ଜଳ ପ୍ରକଳ୍ପ ଗୁଡିକରେ ଥିବା ଅସୁବିଧା ଗୁଡିକୁ ପ୍ରଶାସନିକ ସ୍ତରରେ ଆଶୁ ସମାଧାନ କରି ଆବଶ୍ୟକ ଅଧିକ ଅର୍ଥରାଶି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଧାୟକମାନେ ଦାବି ଉପସ୍ଥାପନ କରିଥିଲେ । ଏଷି ଅବସରରେ ରାଜନଗର ବିଧାୟକ ଶ୍ରୀ ସାହୁ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହି ପ୍ରସ୍ତାବକୁ ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟାମାନେ ସର୍ବସମ୍ମତି କ୍ରମେ ଗୃହିତ କରାଇଥିଲେ । ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ବ୍ଲକରେ କାର୍ଯ୍ୟକାରୀ ହେବାକୁ ଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପରେ ମୋଟ ୨ଲକ୍ଷ ୨୭ହଜାର ୯୧କୋଟି ଟଙ୍କା ଖର୍ଚ୍ଚ ହୋଇ ୨୭୧ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ୧୫ତମ ସିଏଫସି ପ୍ରକଳ୍ପରେ ୯୪୭ଲକ୍ଷ ଅର୍ଥରାଶିରୁ ପାନୀୟ ଜଳ ଯୋଗାଣରେ ଏପର୍ଯ୍ୟନ୍ତ ୭,୯୫, ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବୈଠକରେ ଅଚଳ ନଳକୂପ କାର୍ଯ୍ୟକ୍ଷମ କରିବା, ଅଚଳ ଓଭର ହେଡ ଟାଙ୍କିକୁ ସଚଳ କରିବା ପାଇଁ ଟି.ଆଇ. ଇ.ଡି. ପାଣ୍ଠିକୁ ଡାଇଭର୍ଟ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ଭୂତଳ ନଳକୂପ ଖନନ କରିବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ବଙ୍ଗାଳପୁର ଠାରୁ ଚଅଁପୁର ପର୍ଯ୍ୟନ୍ତ ଗ୍ରାମ୍ୟ ସଡକ ନିର୍ମାଣ ଓ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ପୁରଣ, ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନିର୍ମାଣ ଓ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବାକୁ ପ୍ରସ୍ତାବ ରଖାଯାଇଥିଲା । କଷଣଅନ୍ଟାରେ ଏକଶହ ଏକର ଜମି ପରିମିତ ସ୍ଥାନରେ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେଲେ ଜନସାଧାରଣ ଅଧିକ ଭାବରେ ଉପକୃତ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ରାଜନଗର ବିଧାୟକ ଶ୍ରୀ ସାହୁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ । ଏହା ବ୍ୟତିତ କୃଷି ପାଇଁ ପାଟ୍ଟନାଳୀ ଖନନ, ସ୍ଲୁଇସ ଗେଟ ମରାମତି, କରି ଉଦବୃ ଜଳ ନିଷ୍କାସନ, ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପରବର୍ତି ଭିତିଭୂମି ସୁଦୃଢୀକରଣ , ମା’ ଛୁଆଳିଆ ଶକ୍ତିପୀଠକୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ ଓ ତାର ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି ଆଦି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଅଶୋକ ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.