Tuesday , September 27 2022
Breaking News
Home / ବିଶେଷ / ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

ରାମଦାସ ସହିତ କଲମଦେଇର ଶୁଭବିବାହ ସଂପନ୍ନ

କଳାହାଣ୍ଡି ୨୨/୦୪/୨୦୨୨( ଓଡିଶା ସମାଚାର /ସଂଜୟ ସିଂହ)- ଦିନ ଥିଲା କଳାହାଣ୍ଡି ଜ଼ିଲ୍ଲା ଓ ଛତିଶଗଡ ସୀମାନ୍ତରେ  ମାଓବାଦୀ ମାନେ ହାତରେ ବନ୍ଧୁକ ଧରି ଜଙ୍ଗଲ ଜଙ୍ଗଲ ଘୁରି ବୁଲୁଥିଲେ । ମାଓବାଦ ଦ୍ୱାରା ସମାଜର ପରିବର୍ତ୍ତନ ସମ୍ଭବ ବୋଲି ବନ୍ଧୁକ ଧରି ରାଷ୍ଟ୍ର ବିରୁଦ୍ଧରେ ଲଢେଇ ଲଢିବାକୁ ବାହାରି ପଡିଥିଲେ । ତେବେ ସଂଘର୍ଷର ଦିନ ବିତିବା ସହିତ ମନରେ ଯେଉଁ ଅନୁଭବ ଆସିଲା, ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାଧ୍ୟ ହେଲେ ହାର୍ଡକୋର ନକ୍ସଲ ଭାବେ ପରିଚିତ ରାମଦାସ । ଛତିଶଗଡ ଅଞ୍ଚଳର ଯୁବକ ରାମଦାସ ଗତ ୨୦୦୯ ମସିହାରେ ସାମିଲ ହୋଇଥିଲେ ନକ୍ସଲ ସଂଗଠନରେ । ଛତିଶଗଡ ତଥା ଓଡିଶାର ସୀମାନ୍ତ ଅଞ୍ଚଳରେ ମାଓ ବାହିନୀରେ ଅନେକ  ଅପରେସନରେ ସେ ସକ୍ରିୟ ଭାବେ ସାମିଲ ହେଉଥିଲେ । ତେବେ ସଂଗଠନର ମୁଖ୍ୟମାନେ ମାଓବାଦର ଆଦର୍ଶ ଭୁଲି ତାଙ୍କ ପରି ଯୁବକ ଯୁବତୀମାନଙ୍କୁ ସାମ୍ନାରେ ରଖି ବିଭିନ୍ନ ଅନୈତିକ କାର୍ୟ୍ୟରେ ଲିପ୍ତ ରହିବା ରାମଦାସ ଙ୍କ ଭଳି ଯୁବକ ଯୁବତୀ ମାନଙ୍କୁ ଭାରି ବାଧୁଥିଲା । ଅନ୍ୟ କୌଣସି ଉପାୟ ନପାଇ ସେ ସାତବର୍ଷ ଧରି ରହିବା ପରେ ୨୦୧୬ ମସିହାରେ ସଂଗଠନରେ ଜଣେ ଯୁବତୀ କଲମଦେଇ ମାଝୀ ସାମିଲ ହେବା ପରେ ରାମଦାସଙ୍କ ମନ ତାଙ୍କ ଆଡକୁ ଢଳିଥିଲା । ତେବେ ନୂଆ କରି ସଂଗଠନରେ ସାମିଲ ହୋଇଥିବା କଲମଦେଇ ସଂଗଠନର କାର୍ୟ୍ୟକଳାପ ଜାଣୁଜାଣୁ ତିନିବର୍ଷ ବିତିସାରିଥିବାବେଳେ ଦୁହିଁଙ୍କ ଭିତରେ ମନ ଦିଆନିଆ ହୋଇ ସାରିଥିଲା । ଶେଷରେ ସଂଗଠନର ମୁଖ୍ୟମାନଙ୍କ ଅନୈତିକ କାରବାର ଓ ହିଂସାତ୍ମକ କାର୍ୟ୍ୟକଳାପ ବିରୁଦ୍ଧରେ ରାମଦାସ ଓ କଲମଦେଇ ବିଦ୍ରୋହ ଘୋଷଣା କରିବା ସହିତ କଳାହାଣ୍ଡି ଏସ୍ପି ଙ୍କଠାରେ ଆତ୍ମସମର୍ପଣ କରିଥିଲେ । ଆତ୍ମସପର୍ମଣ କରିବା ପରେ ପୁଲିସ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହିତ ନକ୍ସଲଙ୍କ ଆତ୍ମସମର୍ପଣ ଯୋଜନାରେ ଲାଭ ଦେବାକୁ ସୁଯୋଗ ଦେଇଥିଲା । ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଜଣାପଡିବା ପରେ କଳାହାଣ୍ଡି ଏସ୍ପି ଡକ୍ଟର  ଶ୍ରବଣ ବିବେକ ଏମ୍ ଦୁହିଁଙ୍କୁ ବିବାହ କରାଇଦେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ରାମଦାସ ଓ କଲମଦେଇଙ୍କ ବିବାହ ସମ୍ପନ୍ନ କରାଇଦେଇଥିଲେ । ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସମେତ କଳାହାଣ୍ଡି ଏସ୍ପି ଏବଂ ଜିଲ୍ଲାସ୍ତରୀୟ ପୁଲିସ ବିଭାଗର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଉଭୟଙ୍କ ପରିବାର ମଧ୍ୟ ଉପସ୍ଥିତ ରହି ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଏସ୍ପି ନକ୍ସଲମାନଙ୍କୁ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ସରକାରଙ୍କ ପାଖରେ ଆତ୍ମସମର୍ପଣ ଯୋଜନାର ଲାଭ ପାଇବାକୁ ଆହ୍ୱାନ ଦେଇଛନ୍ତି।ଓଡିଶା ସମାଚାର

Leave a Reply

Your email address will not be published.