ଭୁବନେଶ୍ୱର,୦୭/୦୪/୨୦୨୨( ଓଡ଼ିଶା ସମାଚାର )- ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି :- ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ ।
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଓଡ଼ିଶାରେ ବିଗତ କିଛି ଦିନ ମଧ୍ୟରେ ମାଲକାନଗିରିରେ ସାମ୍ବାଦିକ ମାନଙ୍କୁ ପୋଲିସର ଦୁଃବ୍ୟବହାର କିମ୍ବା ନିର୍ବାଚନ ସମୟରେ ଯାଜପୁର, ପିପିଲି ତଥା ଅନେକ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ।
ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ । କିନ୍ତୁ ଏକ ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କୁ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।
ପୋଲିସ ପ୍ରଶାସନ ଉପରେ ସାଧାରଣ ଲୋକଙ୍କର ଭରସା ରହିଥାଏ । ଏହି ଭରସା ବଜାୟ ରଖିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀ ମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ୟ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଓଡ଼ିଶା ସମାଚାର