ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାସ୍ତା ଅବରୋଧ
ଫୁଲବାଣୀ, ୦୪/୦୪/୨୦୨୨( ଓଡ଼ିଶା ସମାଚାର )- ଫୁଲବାଣୀ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କଏଦୀଙ୍କ ନାମ ମୃତ୍ୟୁଞ୍ଜୟ କହଁର। ତାଙ୍କ ଘର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଜାରକିକେତା ଗ୍ରାମରେ । ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀମାନେ କ୍ଷତିପୂରଣ ଦାବିକରି ଗୋଚ୍ଛାପଡ଼ା ଥାନା ସମ୍ମୁଖରେ ମୃତଦେହକୁ ରଖି ଧାରଣା ଦେବା ସହିତ ଗୋଚ୍ଛାପଡ଼ା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ଗତବର୍ଷ ନଭେମ୍ବର ମାସରେ ମୃତ୍ୟୁଞ୍ଜୟ କହଁରଙ୍କୁ ଗୋଚ୍ଛାପଡ଼ା ଥାନା ପୁଲିସ ଏକ ଏନଡିପିଏସ୍ ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। କିନ୍ତୁ ଗତମାସ ୧୬ ତାରିଖ ଦିନ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କାରାଗାରର କର୍ମଚାରୀ ପ୍ରଥମେ ଫୁଲବାଣୀ ମେଡିକାଲରେ ଭର୍ତି କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଓଡ଼ିଶା ସମାଚାର