Tuesday , August 9 2022
Breaking News
Home / ବିଶେଷ / ୧୫ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ
????????????????????????????????????

୧୫ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ

ଓଡ଼ିଶୀ ନୃତ୍ୟ ସହିତ ତବଲା ବାଦନ, ଗଜଲ ଓ ଗଞ୍ଜାମର ପାରମ୍ପାରିକ ଲୋକ ନୃତ୍ୟରେ ଉଦଘାଟିତ

ଭୁବନେଶ୍ୱର, ୨୮/୦୩/୨୦୨୨( ଓଡ଼ିଶା ସମାଚାର )- ୧୫ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଯାଇଅଛି । ଏହି ସମ୍ମାନ ପ୍ରଦାନ ଉତ୍ସବ ୨୯ ତାରିଖରେ ମଧ୍ୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ତ୍ରିଧାରା ଏକ ଅଗ୍ରଣୀ ଅନୁଷ୍ଠାନ ଯାହା ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ସମର୍ଥନ କରେ । ଏହି ପୁରସ୍କାର ଉତ୍ସବର ଆୟୋଜନ କରିବାର ମୂଳ ଉଦ୍ଧେଶ୍ୟ ହେଉଛି, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ କିମ୍ବଦନ୍ତୀ ଗୁରୁ ତଥା ଯୁବଶିଳ୍ପୀମାନଙ୍କୁ ସମ୍ମାନ ପ୍ରଦାନ କରିବା ତଥା ସୋନଙ୍କର କଳାର ପ୍ରଚାର ଓ ପ୍ରସାର କରିବା ଏଥିସହିତ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର ଆଦିବାସୀ ନୃତ୍ୟ, ଲୋକ ନୃତ୍ୟ, ପାରମ୍ପାରିକ ନୃତ୍ୟ କ୍ଷେତ୍ରରେ ଗୁରୁ ଦେବପ୍ରସାଦ ଦାସଙ୍କ ଘରାନାକୁ ପ୍ରଦର୍ଶନ ଓ ପ୍ରୋତ୍ସାହିତ କରିବା ।

ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ । ଏହି ନୃତ୍ୟଟିକୁ ସଂଯୋଜନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା । ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟାନୁଗ୍ରହ, ଶରୀରର ଗତିବିଧି ଦ୍ୱାରା ଚମତ୍କାର ପରିବେଷଣ ଏବଂ ଚିତାକର୍ଷକ ଅଙ୍ଗଭଙ୍ଗୀ ନୃତ୍ୟ ମାଧ୍ୟମରେ ବେଶ୍ ବାରିହେଉଥିଲା ଯାହା ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉନ୍ଟିବାରେ ସକ୍ଷମ ହୋଇଥିଲା ।

ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ଓଡ଼ିଶୀ ଏକକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ମାଲେସିଆର ଗୀତିକା ଶ୍ରୀ । ତାଙ୍କ ପରିବେଷଣରେ ଥିଲା ସୂର୍ଯ୍ୟାଷ୍ଟକ । ପରେ ପରେ ଦଳଗତ ଓଡ଼ଶୀ ନୃତ୍ୟ ପରିବେଷଣ କରିଥିଲେ କଟକ କଳାବିକାଶ କେନ୍ଦ୍ରର ଶିଳ୍ପୀମାନେ । ସେମାନେ ପରିବେଷଣ କରିଥିଲେ ଲକ୍ଷ୍ମୀ ନୃସିଂହ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା । ପରିବର୍ତୀ ପ୍ରସ୍ତୁତିରେ ଥିଲା ଅନସୁଲ ପ୍ରତାପ ସିଂଙ୍କ ଦ୍ୱାରା ଏକକ ତବଲା ବାଦନ । ତାଳ, ଲୟ ଓ ଛନ୍ଦର ଚମତ୍କାର ସମିଶ୍ରଣରେ ତବଲା ବାଦନରେ ତୋଡ଼ା, ତୁକ୍ଡ଼ା, ତାଇ, ଚକ୍ରଧାର ସହିତ ତିନ୍ ତାଳରେ ୧୬ ମାତ୍ରାରେ ଦର୍ଶକମାନଙ୍କୁ ସେ ବିମୋହିତ କରିଥିଲେ । ସଂଧ୍ୟାର ପରବର୍ତୀ ପ୍ରସ୍ତୁତିରେ ଥିଲା ଆଂଶିକା ଚୌହାନଙ୍କ ଦ୍ୱାରା ଗଜଳ ଗାୟନ । ତାଙ୍କର ଶ୍ରୁତିମଧୁର ସ୍ୱରରେ ଗଜଲ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ଉଦ୍ଘାଟନୀ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଗଞ୍ଜାମ ଜିଲ୍ଲାର ପାରମ୍ପାରିକ ଲୋକକଳା ନୃତ୍ୟ ସଖୀ ନାଟ ଯାହାକୁ ପରିବେଷଣ କରିଥିଲେ ଗୁରୁ ଆଲୋକ ବିଶୋଇ ଓ ସାଥୀ ।

ଉଦଘାଟନୀ ଉତ୍ସବର ଅତିଥିମାନେ ଥିଲେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର; ଭଦ୍ରକର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ; ନୃତ୍ୟ ସମାଲୋଚକ ନୀତା ବିଦ୍ୟାର୍ଥୀ; ଆର୍ଟ ଭିଜନର ସଚିବ ଗୁରୁ ଇଲିୟାନା ଚିତାରିଷ୍ଟ, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ବିଶାରଦ ରାମଲି ଇବ୍ରାହିମ, ଚିନ୍ତା ଓ ଚେତନାର ସଚିବ ସୁରେନ୍ଦ୍ର କୁମାର; ପାରାଦୀପ ଫସଫେଟ ଲିମିଟେଡ଼ର ଅଧିକାରୀ ସୁଧିରଞ୍ଜନ ମିଶ୍ର; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସିମାଂଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଧେଶକ ଗୁରୁ ଗଜେନ୍ଦ୍ର ପଣ୍ଡା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.