ଭୁବନେଶ୍ୱର, ୨୭/୦୩/୨୦୨୨( ଓଡ଼ିଶା ସମାଚାର )- ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ୍ ଆଣ୍ଡ ହେଲ୍ଥ (ସ୍ନେହ) ଆନୁକୁଲ୍ୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସଂପର୍କିତ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠାନର ଭୁବନେଶ୍ୱରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ମାର୍ଚ ୨୭ ତାରିଖରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବୁଦ୍ଧିଜୀବି ଏବଂ ଅବସରପ୍ରାପ୍ତ ପ୍ରଶାସକ ଡଃ ଅରବିନ୍ଦ ବେହେରା, ଆଇ.ଏ.ଏସ୍, ପୋଲିସ୍ ମହାନିର୍ଦ୍ଧେଶକ (ଡାଇରେକ୍ଟର ଜେନେରାଲ୍ ଅଫ୍ ପ୍ରିଜିନ୍ସ) ଶ୍ରୀଯୁକ୍ତ ସନ୍ତୋଷ ଉପାଧ୍ୟାୟ, ଆଇ.ପି.ଏସ୍, ଏବଂ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ଉମାଚରଣ ମିଶ୍ର ଦେଶର ନ୍ୟାୟିକ ବ୍ୟବସ୍ଥାରେ ଥିବା ତୃଟି ଏବଂ ସମାଜରେ ବଢୁଥିବା ଅପରାଧ ନିରାକରଣରେ ଦଣ୍ଡ ପ୍ରଦାନର ସୀମିତ ଭୂମିକା ଉପରେ ଆଲୋକପାତ କରିଥିଲେ । ଅପରାଧ ଏବଂ ଦଣ୍ଡ ବିଧାନ ସହିତ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିର କ୍ଷତିପୂରଣ ପାଇଁ ହୋଇଥିବା ସରକାରୀ ଅନୁଦାନ ବିଷୟରେ ଆଲୋଚନା କରିବା ସହିତ ରେଷ୍ଟୋରେଟିଭ୍ ଜଷ୍ଟିସ୍ ପ୍ରକ୍ରିୟାରେ ଅପରାଧି ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ମଧ୍ୟରେ ସଂପର୍କର ପୁନଃସ୍ଥାପନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଆରମ୍ଭରେ ସ୍ନେହ ଆନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ରେଷ୍ଟୋରେଟିଭ୍ ଜଷ୍ଟିସ୍ ଦ୍ୱାରା ଅପରାଧି, ପୀଡିତ ଏବଂ ଗୋଷ୍ଠୀ ମଧ୍ୟରେ ଅପରାଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସଂପର୍କକୁ କିଭଳି ପୁନଃସ୍ଥାପନ କରାଯାଇ ସମସ୍ତଙ୍କର ଆବଶ୍ୟକତା ପୁରଣ କରିହେଉଛି, ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ପୋଲିସ୍ ଅଧିକାରୀ, ଆଇନଜୀବି ଇତ୍ୟାଦି ଭାଗନେଇଥିଲେ । ସ୍ନେହ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରିଥିଲେ । ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସହଯୋଗୀ ଶ୍ରୀ ଦିବାକର ମାହାଳି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲିକତାର ମେନୋନାଇଟ୍ ସେଂଟ୍ରାଲ୍ କମିଟି (ଏମ୍. ସି. ସି) ଏବଂ ସ୍ନେହ ମିଳିତ ଭାବେ ଆୟୋଜନ କରିଛନ୍ତି । ଓଡ଼ିଶା ସମାଚାର