Tuesday , September 27 2022
Breaking News
Home / ବିଶେଷ / ରାଧାକୃଷ୍ଣ ମନ୍ଦିରରେ ଗୋପାଳଙ୍କ ଲଉଡ଼ି ଉତ୍ସଵ

ରାଧାକୃଷ୍ଣ ମନ୍ଦିରରେ ଗୋପାଳଙ୍କ ଲଉଡ଼ି ଉତ୍ସଵ

ମାହାଙ୍ଗା, ୨୧/୦୩/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) -ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳ ଯାତ୍ରା ଅବସରରେ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲଉଡ଼ି ଉତ୍ସବ ବେଶ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୁହୁଣ୍ଡା ଗ୍ରାମରେ ବସବାସ କରୁଥିବା ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଏହି ଉତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଗ୍ରାମର ଆରାଧ୍ୟ ଦେବତା ମାଆ ଶ୍ରୀରାଧା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାଳବୃଦ୍ଧ ବନିତା ଅତ୍ୟନ୍ତ ଭକ୍ତି ଓ ବିଶ୍ୱାସର ସହିତ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ସମୟରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ଲଉଡ଼ି ପ୍ରତିଯୋଗିତା ଆୟୋଜନ କରିବା ଦେଖିବାକୁ ମିଳେ । ରାଧାକୃଷ୍ଣ ପ୍ରେମଲୀଳା ଉପରେ ଆଧାରିତ ବିଭିନ୍ନ ସଂଗୀତ ଗାନ କରାଯିବାସହ, ଲଉଡ଼ିଖେଳ ଓ ସଙ୍ଗୀତର ତାଳେତାଳେ ନୃତ୍ୟ ପରିବେଷଣ ହୋଇଥାଏ । ଏହି କାର୍ୟ୍ୟକ୍ରମରେ କୁହୁଣ୍ଡା, ମୂଳବସନ୍ତ ଏବଂ ଶ୍ରୀକୃଷ୍ଣପୁର ପଞ୍ଚାୟତର ବିଭିନ୍ନ ଗାଁ’ରୁ ବହୁ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଯୋଗଦେବା ଦେଖିବାକୁ ମିଳିଥିଲା । ତେବେ ପ୍ରେମମୟ ଠାକୁର ପ୍ରଭୁ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଉପରେ ଆଧାରିତ ବିଭିନ୍ନ ସଂଗୀତର ମଧୁର ମୂର୍ଚ୍ଛନା ଓ ନୃତ୍ୟର ଛନ୍ଦ ଭିତରେ ଦର୍ଶକ ମାନେ ତଲ୍ଲୀନ ହୋଇପଡିବା ଦେଖିବାକୁ ମିଳୁଥିଲା ।
କୁହୁଣ୍ଡା ଗାଁ’ର ଯୁବକ, ମୁରବୀ ଓ ମହିଳା ମାନେ ଏହି ଭବ୍ୟ ଉତ୍ସବରେ ସାମିଲ ହେବା ଯେତିକି ଖୁସିର କଥା, ପରସ୍ପର ଭିତରେ ସ୍ନେହଁ ପ୍ରେମ ଓ ଭାଇଚାରା ବାଣ୍ଟିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇ ପାରେ । ଓଡ଼ିଶା ସମାଚାର

Leave a Reply

Your email address will not be published.