ପୁରୀ, ୧୬/୦୩/୨୦୨୨( ଓଡ଼ିଶା ସମାଚାର )-ପୁରୀ ଟାଉନ୍ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି । ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି (ବୁଧବାର) ଦିନ ଟାଉନ୍ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ) ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାରବାଟୀ ଜାଗା ନିକଟରେ ମଣ୍ଡପ ରେ ସେ ବସିଥିବାବେଳେ ୨ ଜଣ ଚିହ୍ନା ଦୁର୍ବୃତ ସେଠାରେ ପହଂଚି ପ୍ରଥମେ ତାଙ୍କ ସହିତ କିଛି କଥା ହୋଇଥିଲେ ଓ ପରେ ପରେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ୨ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ କରି ଦୁର୍ବୃତ ଦ୍ୱୟ ଫେରାର ହୋଇଯାଇଥିଲେ । ଗୁଳିମାରଡ଼ରେ ଗୁରୁତର ଆହତ ହୋଇପଡିଥିବା କୃଷ୍ଣଚନ୍ଦ୍ରଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଜିଲ୍ଲାପାଳ , ଏସପି ଚିକିତ୍ସାଳୟରେ ପହଞ୍ଚିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଘଟଣାରେ କୃଷ୍ଣଚନ୍ଦ୍ର ଜେଲ ଯାଇଥିଲେ । କିଛିଦିନ ତଳେ ଏହି ଘଟଣାରେ ସମସ୍ତଙ୍କୁ ଖଲାସ କରିଦିଆଯାଇଥିଲା । ପୂର୍ବ ଶତୃତାରୁ ଏହି ଗୁଳିକାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର