Tuesday , August 9 2022
Breaking News
Home / ବିଶେଷ / ମାହାଙ୍ଗା : ଦ୍ବୀପାଞ୍ଚଳକୁ ଯାଇପାରେ ଉପାଧ୍ୟକ୍ଷା ପଦବୀ, ଦୌଡରେ ମହିଳା ପ୍ରାର୍ଥୀ ସାମିଲ

ମାହାଙ୍ଗା : ଦ୍ବୀପାଞ୍ଚଳକୁ ଯାଇପାରେ ଉପାଧ୍ୟକ୍ଷା ପଦବୀ, ଦୌଡରେ ମହିଳା ପ୍ରାର୍ଥୀ ସାମିଲ

(ମାହାଙ୍ଗାରେ କାର୍ୟ୍ୟକାରୀ ହେବକି ମହିଳାକାର୍ଡ ଫର୍ମୁଲା)
ମାହାଙ୍ଗା,୧୫/୦୩/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବାରେ ବିରୋଧି ବିଫଳ ହେବାରୁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକରେ ଶାସକ ବିଜେଡି ବାଜିମାତ କରିବା ଦେଖିବାକୁ ମିଳିଛି । କେବଳ ବର୍ଷ ତମାମ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଯେନତେନ ପ୍ରକାରେ ବଦନାମ ସାଙ୍ଗକୁ, ବିରୋଧ ନାଆଁରେ ବିରୋଧି ବିଜେପି ଓ କଂଗ୍ରେସ ଯେଭଳି ନାଟକବାଜି ଚଲେଇଥିଲେ ଏହାର ମୁହଁତୋଡ ଜବାବ ଦେଲେ ଭୋଟର । ୮ କୁ ଆଠ ଜିଲାପରିଷଦ ଆସନ ପୋଛିନେଲା ବିଜେଡି । ସରପଞ୍ଚ ଓ ସମିତିସଭ୍ୟ ଆସନରେ ବିରୋଧିଙ୍କ ସ୍ଥିତି ଟଳମଳ । ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ସମିତିସଭ୍ୟା ଦୀପା ମଲ୍ଲିକ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବାପରେ ଉପାଧ୍ୟକ୍ଷ ପଦବୀ ପାଇଁ ଦଳ କାହାକୁ ପ୍ରାର୍ଥୀ ଘୋଷଣା କରୁଛି ସେ ନେଇ ଉତ୍ସୁକତା ବଢ଼ିବାରେ ଲାଗିଛି । ୩୭ ସଦସ୍ୟ ବିଶିଷ୍ଟ ମାହାଙ୍ଗା ପଞ୍ଚାୟତ ସମିତିକୁ ଶାସକ ବିଜୁ ଜନତା ଦଳରୁ ୨୭ ଜଣ ସମିତି ସଭ୍ୟ ନିର୍ବାଚିତ ହୋଇଥିବା ବେଳେ ବିଜେପିରୁ ୯ ଓ କଂଗ୍ରେସରୁ ମାତ୍ର ଜଣେ ସଭ୍ୟ ବିଜୟୀ ହୋଇଥିଲେ । ତେବେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିରୁ ଦୀପା ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ ସେ ବିଜେପି ପ୍ରାର୍ଥୀ ଲିଲି ସେଠୀଙ୍କୁ ୧୯ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଦେଇଥିଲେ । ଚଳିତ ଥର ମାହାଙ୍ଗା ପଞ୍ଚାୟତ ସମିତିକୁ ବିଜେଡି ସମର୍ଥିତ ୧୬ ଜଣ ସମିତିସଭ୍ୟା ନିର୍ବାଚିତ ହୋଇଥିବା ବେଳେ ୧୧ ଜଣ ପୁରୁଷ ବର୍ଗରୁ ଜିତିବା କୁହାଯାଉଛି । କେନାଲ ଅଂଚଳକୁ ଚେୟାରମ୍ୟାନ ପଦବୀ ଯାଇଥିବାରୁ ଧୋୟାଞ୍ଚଳରୁ ଭାଇସ ଚେୟାରମ୍ୟାନ ପଦବୀ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ମାହାଙ୍ଗାର ଦ୍ବୀପାଞ୍ଚଳରେ କୁହୁଣ୍ଡା, ମୂଳବସନ୍ତ, କୋଳିଅଠା, ବାସୁଦେବପୁର, କଇଥା, ସମସରପୁର, ବାଜପୁରା,ସାହାପୁର, ମଧୁପୁର ଓ କୁଣ୍ଡି ଭଳି ୧୦ ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ଶାସକ ବିଜେଡି ଅନୁଗତ ୭ ଜଣ ଏବଂ ବିଜେପିରୁ ୨ ଓ କଂଗ୍ରସରୁ ମାତ୍ର ଜଣେ ସମିତିସଭ୍ୟ ଜିତିବା କୁହାଯାଉଛି । କୁହୁଣ୍ଡା ପଞ୍ଚାୟତର ମହିଳା ସରପଞ୍ଚଙ୍କୁ ହରାଇ ସମିତିସଭ୍ୟା ଭାବେ ବହୁ ଭୋଟରେ ଜିତିଥିବା ସୁପ୍ରଭା ସାମଲଙ୍କ ନାଆଁ ଉପାଧ୍ୟକ୍ଷା ଦୌଡରେ ସବୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଛି । ସୁପ୍ରଭା ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିବା ବେଳେ,ଜଣେ ସାହିତ୍ୟିକା ଭାବେ ସେ ବେଶ ପରିଚିତା ବୋଲି କୁହାଯାଉଛି । ସୁପ୍ରଭାଙ୍କ ଶ୍ୱଶୁର ଡାକ୍ତର ପ୍ରଭୁପଦ ମହାନ୍ତି ମାହାଙ୍ଗା ବ୍ଲକ ଜନତାଦଳର ପ୍ରାକ୍ତନ ସଭାପତି ତଥା କୁହୁଣ୍ଡା ପଞ୍ଚାୟତର ପ୍ରତିଷ୍ଠାତା ସରପଞ୍ଚ ଥିଲେ । ଅଣ କଂଗ୍ରେସ ରାଜନୀତିରେ ଏମାନଙ୍କ ପରିବାର ବେଶ ସକ୍ରୀୟଥିବା ବେଳେ ତା’ଙ୍କ ସ୍ୱାମୀ ସାମାଜିକକର୍ମୀ ଅଖିଳେଶ ମହାନ୍ତି ଜଣେ ଭଲ ସଂଗଠକ ହୋଇଥିବାରୁ, ପତ୍ନୀ ସୁପ୍ରଭାଙ୍କ ପ୍ରାର୍ଥୀତ୍ବକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ସେହିପରି ଏହି ଦୌଡରେ ମୂଳବସନ୍ତ ପଞ୍ଚାୟତର ସମିତିସଭ୍ୟା ସଂଗୀତା ମହାନ୍ତି ମଧ୍ୟ ସାମିଲ ହେବା କୁହାଯାଉଛି । ସଂଗୀତାଙ୍କ ଶ୍ୱଶୁର ଭ୍ରମରବର ରାଉତରାୟ ପୂର୍ବରୁ ସେହି ପଞ୍ଚାୟତର ସରପଞ୍ଚ ଭାବେ କାର୍ୟ୍ୟ କରିଛନ୍ତି । ରାଜନୀତିରେ ନବାଗତା ହେଲେବି ସଂଗୀତା ମଧ୍ୟ ଉପାଧ୍ୟକ୍ଷ ଦୌଡରେ ସାମିଲ ହେବାନେଇ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଦ୍ବୀପାଞ୍ଚଳ ଅଧିନସ୍ତ ବାଜପୁରା ଓ ବାସୁଦେବପୁର ପଞ୍ଚାୟତରୁ ବିଜେଡିର ୨ ଜଣ ପୁରୁଷ ପ୍ରତିନିଧି ଥିବାରୁ ବାସୁଦେବପୁର ସମିତିସଭ୍ୟ ସତ୍ୟନାରାୟଣ ମହାନ୍ତି ଉପାଧ୍ୟକ୍ଷ ଦୌଡରେ ସାମିଲଥିବା କୁହାଯାଉଛି । ଏମାନଙ୍କ ଭିତରୁ କାହାକୁ ମନ୍ତ୍ରୀ ଅଧିକ ଯୋଗ୍ୟ ଭାବୁଛନ୍ତି, କିଂବା ଆଉ କାହାକୁ ପସନ୍ଦ କରୁଛନ୍ତି ସେକଥା ସମୟ କହିବ । ବିଗତ ନିର୍ବାଚନରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ୨ ଜଣ ମହିଳାଙ୍କୁ ଦେଖିବାକୁ ମିଳି ଥିବାରୁ ମାହାଙ୍ଗା ପଞ୍ଚାୟତ ସମିତିରେ ସେହି ଫର୍ମୁଲା କାର୍ୟ୍ୟକାରୀ ହେଉଛି କି’ ହେଉନି ସେନେଇ ଚିତ୍ର ସ୍ପଷ୍ଟ ହୋଇନି ।
ତେବେ ଚଳିତ ନିର୍ବାଚନରେ ଶାସକ ଦଳରୁ ସମିତିସଭ୍ୟ ଭାବେ ଟିକେଟ ପାଇଥିବା କେତେକ ଭେଟେରାନ ପ୍ରାର୍ଥୀ ମାତ୍ର ଅଳ୍ପକିଛି ଭୋଟ ବ୍ୟବଧାନରେ ହାରିଯାଇ ଥିବାରୁ,ଉପାଧ୍ୟକ୍ଷ ଭାବେ କାହାକୁ ଦଳ ପ୍ରୋଜେକ୍ଟ କରିବ ସେ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ଏଥର ପଞ୍ଚାୟତ ସମିତିକୁ ବହୁ ସଂଖ୍ୟାର ମହିଳା ଯାଇଥିବାରୁ ସମିତି ଗଠନ ପାଇଁ ରାଜନୈତିକ ଦୃଶ୍ୟପଟ୍ଟ ବଦଳି ଯାଇପାରେ ।ଏହି ବ୍ଲକରେ ଶାସକ ଦଳରୁ ୧୬ ଜଣ ମହିଳା ସମିତିସଭ୍ୟା ଜିତି ଥିବାବେଳେ ସେମାନଙ୍କ ଭିତରୁ କେବଳ ଦ୍ବୀପାଞ୍ଚଳରୁ ୫ ଜଣ ମହିଳା ପ୍ରତିନିଧି ଅଛନ୍ତି । ଏହି ମହିଳା ସମିତିସଭ୍ୟାଙ୍କ ଭିତରୁ ଜଣେ ମହିଳାଙ୍କୁ ଉପାଧ୍ୟକ୍ଷା ଭାବେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଯୋର ଧରିଛି । ଗତ ୨୦୧୭ ନିର୍ବାଚନରେ ଦ୍ବୀପାଞ୍ଚଳରୁ ରସିଦା ବେଗମଙ୍କୁ ବିଜେଡି ଉପାଧ୍ୟକ୍ଷା ପଦରେ ବସାଇଥିବା ବେଳେ, ଦ୍ବୀପାଞ୍ଚଳ ବାହାରୁ ଶରତ ନାୟକଙ୍କୁ ଅଧ୍ୟକ୍ଷ କରାଯାଇଥିଲା । ଏଥର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ମାହାଙ୍ଗା ପଞ୍ଚାୟତରୁ ନିର୍ବାଚିତ ସମିତିସଭ୍ୟା ଦୀପା ମଲ୍ଲିକଙ୍କୁ ବିଜେଡି ଟିକେଟ ଦେଇଥିଲା । ଦୀପାଙ୍କୁ ୨୮ ଖଣ୍ଡ ଭୋଟ ମିଳିଥିଲା ବେଳେ ତାଙ୍କ ପ୍ରତିପକ୍ଷ ମାତ୍ର ୯ ଖଣ୍ଡ ଭୋଟ ପାଇଥିଲେ ।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମହିଳାକାର୍ଡକୁ ଅସ୍ତ୍ରକରି ଶାସକ ଦଳ ପକ୍ଷରୁ ନିର୍ବିବାଦୀୟ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସଂଭାବନା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି ।
ଏସବୁ ସତ୍ୱେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ଦିଗ ଉପରେ ତର୍ଜ୍ଜମାକରି ଉପାଧ୍ୟକ୍ଷା ପଦବୀ ପାଇଁ ନାମ ଘୋଷଣା କରିପାରନ୍ତି । ଦଳ ଓ ନେତାଙ୍କ ପ୍ରତି ଆନୁଗତ୍ୟ ସାଙ୍ଗକୁ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି, ଉପାଧ୍ୟକ୍ଷା ପ୍ରାର୍ଥୀ ଚୟନ କରାଯିବାର ସମ୍ଭାବନା ରହିଛି । ବିରୋଧୀଙ୍କ ସବୁ ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଶାସକ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରିବା କୁହାଯାଉଛି । ବିରୋଧି ବିଜେପି ପକ୍ଷରୁ ଜଣେ ପୁରୁଷ ବର୍ଗର ପ୍ରାର୍ଥୀଙ୍କ ନାଆଁ ଏହି ଆସନ ପାଇଁ ଘୋଷଣା କରାଯିବାର ଯଥେଷ୍ଟ ସଂଭାବନା ଥିବା ବେଳେ, ଶାସକ ବିଜୁ ଜନତା ଦଳ ସମ୍ଭବତ ଜଣେ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଆସନ୍ତା ୨୩ ତାରିଖରେ ଉପାଧ୍ୟକ୍ଷା ନିର୍ବାଚନ ଥିବାରୁ ବିଜେଡିରୁ କାହା ନାଆଁ ଘୋଷଣା ହେଉଛି ସେକଥା ଏଯାଏଁ ସ୍ପଷ୍ଟ ହୋଇନି । ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳରୁ ପ୍ରାର୍ଥୀ ଦିଆଯିବ କିଂବା ଅନ୍ୟ କୌଣସି ନିଷ୍ପତ୍ତି ନିଆଯିବ ସେକଥା ମନ୍ତ୍ରୀ ଶ୍ରୀ ଜେନାଙ୍କ ନିଷ୍ପତ୍ତି ପରେ ଜଣା ପଡିବ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.