Friday , June 9 2023
Home / ଶିକ୍ଷା / ପ୍ରଧାନଶିକ୍ଷୟିତ୍ରୀଙ୍କ ଦାୟୀତ୍ୱହୀନତା ପାଇଁ ସ୍କୁଲ ମିଶ୍ରଣ ଅଭିଯୋଗ

ପ୍ରଧାନଶିକ୍ଷୟିତ୍ରୀଙ୍କ ଦାୟୀତ୍ୱହୀନତା ପାଇଁ ସ୍କୁଲ ମିଶ୍ରଣ ଅଭିଯୋଗ

ଛୋଟଛୋଟ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷିତ ଯୁବକ ଯୁବତୀ
କେନ୍ଦ୍ରାପଡ଼ା, ୦୮/୦୩/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଗତ ୧୯୩୯ ମସିହାରେ ସ୍ଥାପିତ ହୋଇଥିଲା । ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ୱହୀନତା ଓ ଅବହେଳା ପାଇଁ ଅନ୍ୟ ଏକ ସ୍କୁଲ ସହିତ ମିଶ୍ରଣ ହୋଇଯାଇଥିବା ନେଇ ସଂପୃକ୍ତ ସ୍କୁଲର ଛାତ୍ରାଭିଭାକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବଳିରାଜ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସ୍ୱାଇଁ ଗତ କୋଭିଡ ସମୟରେ ଦିନକ ପାଇଁ ମଧ୍ୟ ସ୍କୁଲକୁ ଦେଖିବାକୁ ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଗତ ୨୦୨୦ମସିହା ଅକ୍ଟୋବରମାସ ୨୯ତାରିଖ ସୁଦ୍ଧା ଅନଲାଇନ ମାଧ୍ୟମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦେଶ ଥିଲେବି ଏସମ୍ପର୍କରେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରାଭିଭାବକ କିମ୍ବା ଗ୍ରାମ୍ୟ ଶିକ୍ଷା କମିଟିକୁ କିଛି ଜଣାଇନଥିଲେ । କୌଣସି ସୁତ୍ରରୁ ଏସମ୍ପର୍କରେ ଜାଣିବା ପରେ ଛାତ୍ରାଭିଭାବକମାନେ ଗୋପରେ ରହୁଥିବା ପ୍ରାଧାନ ଶିକ୍ଷୟିତ୍ରୀଙ୍କ ଘରକୁ ଆସି ପଚାରିବାରେ ସେ କହିଥିଲେ ଯେ ସ୍କୁଲରେ ନାମ ଲେଖାଇବାକୁ ସି.ଆର.ସି.ସି. ଓ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ମନା କରିଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ଛାତ୍ରାଭିଭାବକ ସି.ଆର.ସି.ସି., ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ପଚାରିବାରେ ସେମାନେ ଘଟଣାକୁ ଅସ୍ୱୀକାର କରିଥିଲେ । ନାମଲେଖା ବନ୍ଦ କରିବାକୁ ଉପରିସ୍ଥ ଅଧିକାରୀଙ୍କ କୈାଣସି ନିର୍ଦେଶପତ୍ର ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଛାତ୍ରାଭିଭାବକମାନଙ୍କୁ ଦେଖାଇବାରେ ସମର୍ଥ ହୋଇନଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ୱହୀନତା ଓ କର୍ତବ୍ୟରେ ଅବହେଳା ପାଇଁ ସେହି ଶିକ୍ଷାବର୍ଷରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ନାମ ଲେଖାଯାଇ ପାରିନଥିଲା । ପରେ ସେହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସରକାରଙ୍କ ଧାର୍ଯ୍ୟ ସୀମା ଠାରୁ କମ ହୋଇଯିବାରୁ ସେହି ସ୍କୁଲଟି ଅନ୍ୟ ଏକ ସ୍କୁଲ ସହିତ ମିଶ୍ରଣ ହେବାର ପ୍ରଶ୍ନ ଉଠିଥିଲା । ଏହାପରେ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ କାହାକୁ କିଛି ନଜଣାଇ ଜଣେ ବିଭାଗୀୟ ଅଧିକାରୀଙ୍କୁ ଡାକି ସେହି ସ୍କୁଲରୁ ତୁଣୁପୁର ପ୍ରାଥମିକ ବିଦ୍ୟାଳୟଟି ଏକ କିଲୋମିଟର ଦୂରତା ଭିତରେ ବୋଲି ପ୍ରଶାସନକୁ ରିପୋର୍ଟ ଦେବାରେ ସହାୟତା ପ୍ରଦାନ କରିବାରୁ ସଂପୃକ୍ତ ବିଦ୍ୟାଳୟଟି ତୁଣୁପୁର ସରକାରୀ ପ୍ରାଥମିକ ସ୍କୁଲରେ ମିଶ୍ରଣ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତି ଗ୍ରହଣ କରାଗଲା । ପ୍ରକୃତପକ୍ଷେ ବଳିରାଜ ପ୍ରାଥମିକ ସ୍କୁଲ ଠାରୁ ତୁଣପୁର ପ୍ରାଥମିକ ସ୍କୁଲର ଦୂରତ୍ୱ ଏକ କିଲୋମିଟରୁ ଅଧିକ ଦୂର । ବଳିରାଜ ପ୍ରାଥମିକ ସ୍କୁଲରେ ପାଠପଢୁଥିବା ବଳିରାଜ, ଜଗନ୍ନାଥପୁର, ଅରଡାସାହି, ଡିହସାହି ପ୍ରଭୃତି ଗ୍ରାମର ଛୋଟ ଛୋଟ ପିଲାମାନେ ଏକ କିଲୋମିଟରରୁ ଅଧିକ ଦୂର ତୁଣୁପୁର ପ୍ରାଥମିକ ସ୍କୁଲକୁ ପାଠପଢିବାକୁ ଯିବା ଆଦୌ ସମ୍ଭବ ନୁହେଁ ବୋଲି ଛାତ୍ରଭିଭାବକ ସନ୍ତୋଷ କୁମାର ତ୍ରିପାଠୀ, ପ୍ରହଲ୍ଲାଦ ସେଠୀ, ରନôାକର ବାରିକ, ସୁବାଷ ସେଠୀ, ଖଗେଶ୍ୱର ମହାନ୍ତି, ଧନଞ୍ଜୟ ପରିଡା, ହୃଷିକେଶ ମଲ୍ଲ, ରମାକାନ୍ତ ସାହୁ, ଅଖିଳ ଲେଙ୍କା, ମଙ୍ଗୁଳି ପୃଷ୍ଟି, ପ୍ରଦୀପ ରାଉଳ, କେଳୁ ଚରଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୂର୍ବରୁ ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଗ୍ରାମର ଶିକ୍ଷିତ ଯୁବକ/ଯୁବତୀ ହେମଲତା ଓଝା, ସତ୍ୟବ୍ରତ ନାୟକ, ଜୀତେନ୍ଦ୍ର ମୁଦୁଲି ଓ ପୁଷ୍ପାଞ୍ଜଳି ବିଶ୍ୱାଳ ପ୍ରମୁଖ ସେହି ସ୍କୁଲର ଶ୍ରେଣୀ ଗୃହରେ ଏବେବି ୪୦ରୁ ଉଦ୍ଧ୍ୱର୍ ଛୋଟ ଛୋଟ ପିଲାମାନଙ୍କୁ ଦୈନିକ ଶିକ୍ଷାଦାନ କରୁଥିବା ଦେଖାଯାଇଛି । ଜିଲ୍ଲାପାଳ ତୁରନ୍ତ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବଳିରାଜ ସରକାରୀ ପ୍ରାଥମିକ ସ୍କୁଲକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମ୍ୟ କମିଟି ସମ୍ପାଦକ ପ୍ରଦିପ କୁମାର ପତି, ୱାର୍ଡସଭ୍ୟ ବାବୁଲି ସେଠୀ, ହରିହର ଶତପଥୀ, ଚନ୍ଦ୍ରମଣୀ ରାଉଳ, ଶ୍ରୀଧର ସେଠୀ, ଫକିର ଚରଣ ଓଝା, ସୁବୁଧି ଚରଣ ସାହୁ, ମୁରଲୀଧର ସାହୁ, ରବୀନ୍ଦ୍ର ସାମଲ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.