କେନ୍ଦ୍ରାପଡ଼ା, ୦୫/୦୩/୨୦୨୨( ଓଡ଼ିଶା ସମାଚାର )- ଦିନ ଦ୍ବିପହରେ କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ମହାକାଳପଡ଼ା ଥାନା ଅନ୍ତର୍ଗତ ଅରାଇଲୋ ପଂଚାୟତ ବବକରପୁର ଗାଁ ରେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟିଛି। ଏଥିରେ ପରିବାରର ମୁରବୀଙ୍କର ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ମା’ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ଅବସରପ୍ରାପ୍ତ ଭିଏଲଡ଼ବ୍ଲ୍ୟୁ ଅରବିନ୍ଦ ମିଶ୍ର (୬୨)। ଗୁରୁତର ଆହତ ଦୁଇ ଜଣ ହେଉଛନ୍ତି ଅରବିନ୍ଦଙ୍କ ସ୍ତ୍ରୀ ମୀନତି ମିଶ୍ର ଓ ପୁଅ ଶୁଭକେଶ ମିଶ୍ର (କାହ୍ନା) । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ବବକରପୁର ଗାଁରେ ପହଞ୍ଚି ଥିଲେ। ସେମାନେ କାହ୍ନାଙ୍କ ଘର କେଉଁଠି ଅଛି ବୋଲି ଗାଁ ଲୋକଙ୍କୁ ପଚାରିଥିଲେ। ଦୁର୍ବୃତ୍ତମାନେ କାହ୍ନାଙ୍କ ଘରେ ପହଞ୍ଚିବା ପରେ ବାହାର ପଟୁ ଡାକିଥିଲେ। କାହ୍ନା ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। ଘର ବାହାରେ ଭୀଷଣ ଶବ୍ଦ ଶୁଣି ବାପା ଅରବିନ୍ଦ ମିଶ୍ର ଓ ମା’ ମୀନତି ବାହାରି ଆସିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇଥିଲେ। ସେମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟାଇଛନ୍ତି । ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅରବିନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୀନତି ଓ କାହ୍ନା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ମା’ ଓ ପୁଅଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁଳିମାଡ଼ ପରେ ପଳାୟନ କରୁଥିବା ବେଳେ ୨ ଜଣ ଦୁର୍ବୃତ୍ତଙ୍କୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ପୁଲିସ ପହଂଚି ଗ୍ରାମବାସୀଙ୍କ କବଳରୁ ୨ ଜଣ ଦୁର୍ବୃତ୍ତଙ୍କୁ ଉଦ୍ଧାର କରି ଅଟକ ରଖି ପଚରାଉଚରା କରୁଛି। ତେବେ ପୁଲିସ ବନ୍ଧୁକ ଜବତ କରିପାରିନାହିଁ । ଓଡ଼ିଶା ସମାଚାର
