କଟକ ୨୫/୦୨/୨୦୨୨( ଓଡ଼ିଶା ସମାଚାର /ଦେବାଶିଷ ରଥ)- ଟ୍ରକ୍ ଲୁଟ୍ ଏବଂ ଏହାକୁ କାଟି ଗୋଦାମକୁ ଦେବା ଘଟଣାର ଫର୍ଦ୍ଦାଫାସ୍ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।
ଏହି ଲୁଟେରାମାନଙ୍କ ଠାରୁ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ସହ ୪ ଟି ମୋବାଇଲ, ଲୁଟରେ ବ୍ୟବହୃତ ସରଞ୍ଜାମ, କଟର୍,ଗ୍ୟାସ୍, ଟ୍ରକ୍ ଯନ୍ତ୍ରାଂଶ ଏବଂ ଅଧା କଟା ହୋଇଥିବା ଏକ ଟ୍ରକ୍ କୁ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିସୁଳିଆ ନିକଟରୁ ପୋଲିସ ଜବତ କରିଛି । ବିଶେଷ କରି ଜାତୀୟ ରାଜପଥ କଡରେ ଥୁଆ ହୋଇଥିବା ଟ୍ରକ୍ ଗୁଡିକୁ ଏହି ଲୁଟେରା ମାନେ ଲୁଟ୍ କରିଥାନ୍ତି। ପରେ ଟ୍ରକର ଯନ୍ତ୍ରାଂଶ କୁ କାଟି ହଜାର ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ସ୍ଥାନୀୟ ଗୋଶାଳା ନୂଆସାହି ବାସିନ୍ଦା ସଦେଇ ସାହାଣୀଙ୍କ ୧୦ ଚକିଆ ଟ୍ରକ୍ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ସାଇ ମନ୍ଦିର ପାଖରେ ରଖି ଡ୍ରାଇଭର ଜଣକ ଘରକୁ ଯାଇଥିଲେ। ଘରୁ ଫେରିବା ପରେ ଗାଡି ଚୋରି ହୋଇଥିବା ଦେଖି ଗାଡି ଚାଳକ ମାଲିକଙ୍କୁ ଖବର ଦେଇଥିଲେ। ପରେ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାର ତଦନ୍ତ କରି ସିସିଟିଭି ଆଧାରରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଜିଲାରେ ଏଭଳି କରିଥିବା ସ୍ୱିକାର କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ସେମାନେ ହେଉଛନ୍ତି ଢ଼େଙ୍କାନାଳ ଜିଲା କାମାକ୍ଷାନଗର ମୁକ୍ତାପସି ର ସୁନୀଲ ପରିଡ଼ା(୨୯), ଅନୁଗୁଳ ଜିଲା ନିଶା ଥାନା ଅନ୍ତର୍ଗତ ଜଙ୍ଗଲ ଜାମୁଣ୍ଡା ର ପ୍ରତାପ ପ୍ରଧାନ (୩୨),କଟକ ଚାଉଳିଆଗଂଜ ଥାନା ଅନ୍ତର୍ଗତ କୈବଲ୍ୟ ବିହାରର ରାଜୁ ଆଲିଆସ ରାଜେନ୍ଦ୍ର କୁମାର ନାୟକ (୩୭) ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନୂଆସାହିର ଗୌରାଙ୍ଗ ସାହୁ (୪୫) ଓ ବାବୁ ଖାଁ । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ଓଡ଼ିଶା ସମାଚାର