ଗରଦପୁର,୨୩/୦୨/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢଙ୍ଗା ଗ୍ରାମ ପଂଚାୟତ ର କଂଚିଲୋ ଗ୍ରାମର ମହାଦେବ ମନ୍ଦିର ସମ୍ମୁଖରୁ ୧୧ କେ.ଭି ବିଦୁ୍ୟତ ତାର ସ୍ଥାନାନ୍ତରଣ ନିମନ୍ତେ ଅନୁରୋଧ କରାଯାଇଥିଲେ ମଧ୍ୟ ଏଥିପ୍ରତି ବିଭାଗ ଗୁରୁତ୍ୱ ନଦେଇ ସ୍ଥାନାନ୍ତରିତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗ୍ରାମର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଚାଲୁରହିଛି । କିନ୍ତୁ ମନ୍ଦିର ସମ୍ମୁଖ ଦେଇ ଯାଇଥିବା ୧୧ କେ.ଭି ବିଦୁ୍ୟତ ତାର ଏବଂ ଖୁଂଟର ସ୍ଥାନାନ୍ତରଣ କାର୍ଯ୍ୟ ବିଭାଗର ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ କରାଯାଇନାହିଁ । ସୂଚନାଯୋଗ୍ୟ ମନ୍ଦିର ସମ୍ମୁଖରୁ ବିଦୁ୍ୟତ ଖୁଂଟ ଏବଂ ତାର ସ୍ଥାନାନ୍ତରଣ ନିମନ୍ତେ ଗ୍ରାମବାସୀଙ୍କ ଅଭିଯୋଗ ପରେ ମାର୍ଶାଘାଇ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସ୍ଥାନ ପରିଦର୍ଶନ କରି ଅନ୍ୟ ବାଟ ଦେଇ ବିଦୁ୍ୟତ ସରବରାହ କରିବାକୁ କୋରୁଆ ସେକସନ୍ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଙ୍କ ଅବହେଳା ଯୋଗୁଁ ଏହି ବିଦୁ୍ୟତ ଖୁଂଟ ସ୍ଥାନାନ୍ତରଣ କାର୍ଯ୍ୟ କରାଯାଇନାହିଁ । ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଉ ଦିନ କେଇଟା ବାକି ଥିବାବେଳେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ହେଲେ ଏହି ୧୧ କେ.ଭି ବିଦୁ୍ୟତ ତାର ଯଜ୍ଞ ଘରର ଉପର ଦେଇ ଯାଇଥିବାର ଦେଖାଯାଇଛି । ତେଣୁ ବିଦୁ୍ୟତ ଖୁଂଟ ଏବଂ ତାର ସ୍ଥାନାନ୍ତରଣ ନିମନ୍ତେ ଗ୍ରାମବାସୀମାନେ ପୁନଃ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିବା ସହିତ ମାର୍ଶାଘାଇ ନିର୍ବାହୀ ଯନ୍ତ୍ରୀଙ୍କୁ୍ ଅଭିଯୋଗ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସ୍ଥାନାନ୍ତରଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ତୁରନ୍ତ ଯୁଦ୍ଧକାଳୀନ ଭିତିରେ ୧୧ କେ.ଭି ବିଦୁ୍ୟତ ତାର ଯଜ୍ଞ ଘର ଉପରୁ ସ୍ଥାନାନ୍ତରଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଜ୍ଞ ଘର ଉପରୁ ୧୧ କେ.ଭି ବିଦୁ୍ୟତ ତାର ସ୍ଥାନାନ୍ତରଣ କରାନଯିବା ଦ୍ୱାରା ଯଦି କୌଣସି ଅଘଟଣ ଘଟେ, ତେବେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର
