ଗରଦପୁର,୨୩/୦୨/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମ ପଂଚାୟତର ୧୫ ନମ୍ବର ୱାର୍ଡ଼ ଓ ଗରଦପୁର ଗ୍ରାମ ପଂଚାୟତର ୬ ନମ୍ବର ୱାର୍ଡ଼ ରେ କେବଳ ସରପଂଚ ପଦବୀ ପାଇଁ ପୁନଃ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ୍ ନିର୍ଦ୍ଧେଶନାମା ଜାରି କରିଛନ୍ତି । ପ୍ରିଜାଇଡ଼ିଙ୍ଗ ଅଫିସରଙ୍କ ଦ୍ୱାରା ଭୁଲ ପ୍ରାକ୍ ଭଙ୍ଗା (Wrong pre Folding)ଯୋଗୁ ଏହି ୧୫ ନମ୍ବର ୱାର୍ଡ଼ ରେ ପୁନଃ ମତଦାନ ହେବ । ସେହିପରି ଗରଦପୁର ଗ୍ରାମ ପଂଚାୟତର ୬ ନମ୍ବର ୱାର୍ଡ଼ ରେ ଗତକାଲି ମତଦାନ ଚାଲିଥିବାବେଳେ ୧୫ ରୁ ୨୦ ଜଣ ଅସାମାଜିକ ବ୍ୟକ୍ତି ଆଇନ୍ ବିରୁଦ୍ଧାଚରଣ ସହ ଅନଧିକାର ଭାବେ ବୁଥ ଭିତରେ ପ୍ରବେଶ କରି କାର୍ଯ୍ୟରତ କର୍ମଚାରୀ ମାନଙ୍କ ଠାରୁ ବାଲଟ ପେପର ନେଇ ସରପଂଚ ପଦବୀ ପାଇଁ ଭୋଟ ପ୍ରଦାନ କରିଥିଲେ ଓ ତାକୁ ନେଇ ଭୋଟ ବାକ୍ସ ରେ ପକାଇଥିଲେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆସନ୍ତା ୨୫ ତାରିଖ ସକାଳ ୯ ଟାରୁ ୩ ଟା ମଧ୍ୟରେ କେବଳ ସରପଂଚ ପଦବୀ ପାଇଁ ଉପରୋକ୍ତ ଦୁଇଟି ୱାର୍ଡ଼ରେ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ୍ ନିର୍ଦ୍ଧେଶ ଦେଇଛନ୍ତି । ଏହି ପୁନଃ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିବା ପାଇଁ ଜିଲାପାଳ ଶ୍ରୀ ଅମୃତ ଋତୁରାଜ ଅନୁରୋଧ କରିବା ସହ ଆଇନ୍ ଉଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର
