ରଘୁନାଥପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ନଂ ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀନି ଇତିଶ୍ରୀ ମଲ୍ଲିକ ଏହି ଜୋନରୁ ବିଜୟ ନିମନ୍ତେ ରେଢୁଆ ହାଟ ଠାରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ କାମନା କରିଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀମତୀ ମଲ୍ଲିକ ଆଜି ବିଭିନ୍ନ ଗ୍ରାମକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମମତା ଯୋଜନା ଠାରୁ ହରିଶଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୋ ସ୍ୁଲ ଓ ମୋ କଲେଜ ଯୋଜନା ଆଦି ଶହଶହ ଜନକଲ୍ୟାଣ ଯୋଜନା ପ୍ରଣୟନ କରି ଲୋକମାନଙ୍କ ହୃଦୟ ଜିତିପାରିଛନ୍ତି ବୋଲି ଭୋଟରମାନଙ୍କ ନିକଟରେ ଏହା ପ୍ରକାଶ କରିଥିଲେ । ଏହି ଜୋନଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ବଦ୍ଧ ପରିକର ବୋଲି ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ୨୦୧୭ ମସିହାରେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ଡେଜାଲିନ୍ ମହାପାତ୍ର ବିଜେପି ପ୍ରାର୍ଥୀ ମାନସ କୁମାର ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଥିଲେ ।ଚଳିତ ନିର୍ବାଚନରେ ଏହି ଆସନଟିକୁ ବିଜେଡି ନିଜ ଦଖଲରେ ରଖିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି । ଅନ୍ୟପକ୍ଷରେ ବିଜେଡି ହାତରୁ ଛଡାଇ ନେବାକୁ ବିଜେପି ପକ୍ଷରୁ ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି । ଏହି ଜୋନରେ ବିଜେଡି ପକ୍ଷରୁ ଇତିଶ୍ରୀ ମଲ୍ଲିକ, କଂଗ୍ରେସ ପକ୍ଷରୁ କନକଲତା ସେଠୀ, ବହୁଜନ ସମାଜ ପାର୍ଟି ପକ୍ଷରୁ ସୁଚିତ୍ରା ଭୋଇ, ବିଜେପି ପକ୍ଷରୁ ଲିପିକା ମଲ୍ଲିକ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇ ଘରଘର ବୁଲି ନିଜ ସପକ୍ଷରେ ଭୋଟ ନେବାପାଇଁ ଭୋଟରମାନଙ୍କୁ ଆକୃଷ୍ଟ କଲାଭଳି ପ୍ରଚାର ଜୋରଦାର କରୁଛନ୍ତି । ତେବେ ଆସନ୍ତା ନିର୍ବାଚନରେ ଏହି ଜୋନଟି ବିଜେଡି ପୂର୍ବଭଳି ନିଜ ଦଖଲରେ ରଖିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବିଜେଡି, ବିଜେପି ବିରୁଦ୍ଧରେ ପ୍ରଚାର କରି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଉଦ୍ୟମ ଚଳାଇଛି । ତେବେ ଏହି ଆସନଟି କେଉଁ ଦଳ ଅକ୍ତିଆର କରିବ ତାହା ନିର୍ବାଚନର ଭୋଟଗଣତି ପରେ ଜଣାପଡିବ । ଓଡ଼ିଶା ସମାଚାର
