ଭୁବନେଶ୍ୱର, ୧୬/୦୨/୨୦୨୨ (ଓଡ଼ିଶା ସମାଚାର)- ପୁରୀ ଜିଲା କଣାସରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି । ବୁମ୍ ଛଡ଼ାଇ ନେଇଥିବା ସହ କ୍ୟାମେରା ଭାଙ୍ଗିଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଖବର କଭ୍ରେଜ ବେଳେ ନ୍ୟୁଜ୍ ସେଭେନ୍ ଓ ନ୍ୟୁଜ୍ ୧୮ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଏପିରିକି ସାମ୍ବାଦିକଙ୍କ ବ୍ୟାକ୍ପ୍ୟାକ୍ ମଧ୍ୟ ଛଡାଇନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସାମ୍ବାଦିକମାନେ ଏହାର ପ୍ରତିବାଦ କରିଛନ୍ତି ।
ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତର ଆଳନ୍ଦା ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାଯାଇଛି। ବୁଥ ନିକଟରେ ଖଣ୍ଡା ଏବଂ ଧାରୁଆ ଅସ୍ତ୍ର ଏବଂ ଇଟାରେ ଲୋକଙ୍କୁ ଆକ୍ରମଣ କରାଯାଇଛି। ୬ରୁ ଅଧିକ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ଭିଡିଓରେ କିଛି ଯୁବକ ଠେଙ୍ଗାରେ ବାଡ଼େଇ ବାଇକ୍ ଭାଙ୍ଗୁ ଥିବା ବେଳେ ଆଉ କିଛି ଲୋକ ଦଳବଦ୍ଧ ଭାବରେ ଠେଙ୍ଗାବାଡ଼ି ଧରି ଅନ୍ୟମାନଙ୍କୁ ଆକ୍ରମଣ କରୁ ଥିବା ଦେଖାଯାଉଛି।ଆହତ ମାନଙ୍କୁ କୃଷ୍ଣ ପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବାବେଳେ ଗୁରୁତର ଆହତ ୧୭ ଜଣ ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଭର୍ତି କରାଯାଇଛି ।
ସେହିପରି ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମରେ ୧୦ ଓ ୧୧ ନମ୍ବର ୱାର୍ଡରେ ଦୁର୍ବୃତ୍ତମାନେ ବଳପୂର୍ବକ ମତଦାନ କେନ୍ଦ୍ରକୁ ପ୍ରବେଶ କରି ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏନେଇ ଏଠାରେ ମୁତୟନ ଥିବା ପ୍ରିଜାଇଡିଂ ଅଫିସର ପୁଲିସକୁ ସୂଚନା ଦେଇଥିଲେ। ଦୁବୃର୍ତ୍ତମାନେ ୩ଟି ପୁଲିସ ଗାଡ଼ି ଭାଙ୍ଗି ଦେଇଛନ୍ତି। ଜଣେ ମହିଳା ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଯାଜପୁର ଡିଏସ୍ପି ସଂଗ୍ରାମ ଟୁଡୁ ପୁଲିସ ବଳ ନେଇ ପହଞ୍ଚିଥିଲେ। ପୁଲିସ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରିତ କରିଛି। ଭୋଟ ବାକ୍ସ ଗୁଡ଼ିକ ନେଇଯାଇଛି। ସରପଞ୍ଚ ଓ ସମିତି ସଭ୍ୟ ଭୋଟ ପାଇଁ ଏହି ହିଂସା କାଣ୍ଡ ହୋଇଥିବା କୁହାଯାଉଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସେହିପରି ଢେଙ୍କାନାଳର ଏକ ମତଦାନ କେନ୍ଦ୍ରରେ ଦୁର୍ବୃତ୍ତମାନେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ମୁଣ୍ଡ ଫାଟିଛି। ତାଙ୍କୁ ଗଦିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସେହିପରି ମାହାଙ୍ଗା ରେ ଏକ ବୁଥ୍ ରେ ଜଣେ ପ୍ରାର୍ଥି ଙ୍କ ଏଜେଂଟ ଙ୍କୁ ଛୁରାମଡ଼ ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲା ଡ଼େରାବିଶ ବ୍ଲକ୍ ମୁକୁନ୍ଦପୁର ପଂଚାୟତ ଶ୍ରୀଧରପୁର ବଟ ମହାପୁରୁଷ ବିଦ୍ୟାପିଠ ବୁଥ ରେ ଶ୍ରୀଧରପୁର ର ଜଣେ ଭୋଟର ପ୍ରଫୁଲ ବେହେରା (୪୦)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି । ଓଡ଼ିଶା ସମାଚାର