Tuesday , August 9 2022
Breaking News
Home / ବିଶେଷ / ଟୁଡୁଙ୍କୁ ହାଇକୋର୍ଟ ଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ

ଟୁଡୁଙ୍କୁ ହାଇକୋର୍ଟ ଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ

କଟକ, ୦୯/୦୨/୨୦୨୨ (ଓଡ଼ିଶା ସମାଚାର)-ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀ ଥାନା ଆଇଆଇସିଙ୍କ ନିକଟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ୟ୍ୟାଳୟରେ ମାଡ ମାରିବା ଅଭିଯୋଗ ନେଇ ବାରିପଦା ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାରେ ଆଗୁଆ ଜାମିନ ପାଇଁ ଶ୍ରୀ  ଟୁଡୁ ଦାଖଲ କରିଥିବା ଆବେଦନର ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ତଦନ୍ତ ସମୟରେ ସାକ୍ଷୀକୁ ପ୍ରଭାବିତ ନ କରିବାକୁ ମଧ୍ୟ ହାଇକେର୍ଟ ନିର୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ୟ୍ୟ ହୋଇଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ୟ୍ୟାଳୟରେ ମାଡ଼ ମାରିଥିବା ନେଇ ମନ୍ତ୍ରୀ ଟୁଡୁଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା କାର୍ୟ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ୟ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଶ୍ରୀ ଟୁଡୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ପ୍ଲାଷ୍ଟିକ୍ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା। ଉଭୟ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ପୀଡିତଙ୍କ ବୟାନ ରେକର୍ଡ କରିବା ସହିତ ତଦନ୍ତ ଚଳାଇଥିବା ବେଳେ ଶ୍ରୀ ଟୁଡୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.